ଆସିଆନ ଶିଖର ସମ୍ମିଳନୀ ଆଭାସୀରେ ଯୋଗଦେବେ ମୋଦି

ଆସିଆନ ଶିଖର ସମ୍ମିଳନୀ ଆଭାସୀରେ ଯୋଗଦେବେ ମୋଦି
  • ଟ୍ରମ୍ପଙ୍କ ସହ ହେବନି ଦେଖା
  • କଂଗ୍ରେସର କଟାକ୍ଷ

 ନୂଆଦିଲ୍ଲୀ : ଆସିଆନ ଶିଖର ସମ୍ମିଳନୀ ପାଇଁ କ୍ୱାଲାଲମ୍ପୁର ଯାତ୍ରା କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ଆଭାସୀରେ ଯୋଗ ଦେବେ ମୋଦି । ଯାହା ଦ୍ୱାରା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମ୍ଭାବ୍ୟ ସାକ୍ଷାତକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସନ୍ତା୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବାର ସମ୍ଭାବନା ରହିଛି । ଗତ ମାସରେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଟ୍ରୁଥରେ କହିଥିଲେ ଯେ ସେ "ଆସନ୍ତା ସପ୍ତାହ’ରେ ମୋଦିଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି, କାରଣ ଭାରତ ଓ ଆମେରିକା ଏକ ଚାପ ପରେ ସମ୍ପର୍କ ପୁନଃସ୍ଥାପନ କରିବାକୁ ଚାହୁଁଥିଲେ । ଏହା ଦ୍ୱାରା ଦୁଇ ନେତା ଆସିଆନ ଶିଖର ସମ୍ମିଳନୀରେ ସାକ୍ଷାତ କରିପାରିବେ ବୋଲି ଅନୁମାନ କରାଯାଉଥିଲା । ଶିଖର ସମ୍ମିଳନୀରେ ଆଭାସୀରେ ଯୋଗଦେବାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଏକ୍ସ ପୋଷ୍ଟରେ ନେଇଛନ୍ତି । "ମୋର ପ୍ରିୟ ବନ୍ଧୁ, ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହିତ ଏକ ଉଷ୍ମ ଆଲୋଚନା ହୋଇଥିଲା । ମାଲେସିଆର ଆସିଆନ ଅଧ୍ୟକ୍ଷତା ପାଇଁ ତାଙ୍କୁ ଅଭିନନ୍ଦନ ଆସିଆନ-ଭାରତ ଶିଖର ସମ୍ମିଳନୀରେ ଭର୍ଚୁଆଲ୍‌ ଭାବରେ ଯୋଗଦେବା ଏବଂ ଆସିଆନ-ଭାରତ ବ୍ୟାପକ ରଣନୈତିକ ସହଭାଗିତାକୁ ଆହୁରି ଗଭୀର କରିବା ପାଇଁ ଅପେକ୍ଷା କରିଥିବା ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରିଛନ୍ତି । 

        ଏହି ଖବରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏଡାଇବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ସେ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି । ମୋଦିଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ମୋଦି ଯୋଗଦେବେ କି ନାହିଁ ସେ ବିଷୟରେ ଗଣମାଧ୍ୟମରେ ଦୀର୍ଘ ଆଲୋଚନା ହୋଇଛି । ମୋଦୀ ସମ୍ମିଳନିରେ ଯୋଗଦେବେ ନାହିଁ ଏହା ଏବେ ପ୍ରାୟ ନିଶ୍ଚିତ । ଏହା କରିବା ଦ୍ୱାରା ବିଶ୍ୱ ନେତାମାନଙ୍କୁ ଭେଟି ନିଜକୁ ବିଶ୍ୱ ନେତା ଭାବରେ ପ୍ରଦର୍ଶନ କରିବାର ସୁଯୋଗ ହରାଇଛନ୍ତି । ସୋସିଆଲ ମିଡିଆରେ ଟ୍ରମ୍ପଙ୍କୁ ପ୍ରଶଂସା କରିବା ଗୋଟିଏ କଥା । କିନ୍ତୁ ମୋଦି ତାଙ୍କୁ ମୁହାଁମୁହିଁ ଭେଟିବାକୁ ଚାହୁଁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ରମେଶ ।