ମେଗା ପାନୀୟ ଜଳ ପ୍ରକଳ୍ପ ସୁରକ୍ଷା କର୍ମୀଙ୍କ ମୃତଦେହ ଉଦ୍ଧାର
ଆନନ୍ଦପୁର : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ପୌରପରିଷଦ ୨ ନମ୍ବର ୱାର୍ଡ ପଦ୍ମପୁର ଗାଁର ଶୁକଦେବ ସାହୁ ସ୍ଥାନୀୟ ମେଗା ପାନୀୟ ଜଳପ୍ରକଳ୍ପ ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ। ତେବେ ଗତ ରବିବାର ସନ୍ଧ୍ୟାରୁ ସେ ଘରୁ ସାଇକେଲ ଯୋଗେ ଆନନ୍ଦପୁର ବ୍ୟାରେଜ ନିକଟରେ ଥିବା ମେଗା ପାନୀୟଜଳ ପ୍ରକଳ୍ପକୁ ଡ୍ୟୁଟି କରିବା ପାଇଁ ଆସି ଆଉ ଘରକୁ ଫେରି ନଥିଲେ।
ତେବେ ସକାଳୁ ସହକର୍ମୀ ତାଙ୍କ ମୃତ ଦେହକୁ ପଛ ପଟ ଗେଟ ତଥା ବୈତରଣୀ ନଦୀ କୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘଟଣା ପ୍ରଘଟ ହେଵା ପରେ ପରିବାର ଓ ଗାଁ ଲୋକେ ଘଟଣା ସ୍ଥଳକୁ ଆସି ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିବା ପରେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ଶୋକାକୁଳ ଅବସ୍ଥାରେ ଥିବା ବେଳେ ନ୍ୟାୟ ଦାବିରେ ଗ୍ରାମବାସୀ ମାନେ ୫୩ନଂ ରାଜ୍ୟ ରାଜପଥ ଅବରୋଧ କରି ରାସ୍ତା ରୋକ କରିଥିଲେ । ଏତେ ବଡ଼ ପ୍ରକଳ୍ପ ରେ ସିସି କ୍ୟାମେରା ନଥିବାରୁ ଘଟଣା ର ସତ୍ୟାସତ୍ୟ କିଛି ଜଣା ପଡ଼ିନାହିଁ। ତେବେ ତୁରନ୍ତ ଏହାର ସଠିକ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ମୃତକଙ୍କ ଭାଇ ଶିବାନନ୍ଦ ସାହୁ ଦାବୀ କରିଛନ୍ତି। ଆନନ୍ଦପୁର ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ କହିଛନ୍ତି ଯେ ମୃତ ଦେହ ଜବତ ହୋଇଛି। ମୃତକ ତଳେ ପଡିଥିବାରୁ ମୁହଁରେ କ୍ଷତ ଚିହ୍ନ ଅଛି, ଅନ୍ୟ କୋଉଠି ନାହିଁ। ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ରହି ତଦନ୍ତ କରୁଥିବାରୁ ମାମଲା ରୁଜୁ ହୋଇନି। ତଦନ୍ତ ସାରି ଥାନାକୁ ଗଲେ ମାମଲା ରୁଜୁ ହେବ।