ଜଳକଷ୍ଟରେ ୫୦ ପରିବାର

ବିଞ୍ଝାରପୁର: ଗ୍ରୀଷ୍ମ ଆରମ୍ଭରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ବିଭିନ୍ନ ସହର ମାନଙ୍କରେ ମାତ୍ରାଧିକ ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ଗ୍ରାମାଞ୍ଚଳରେ ଜଳକଷ୍ଟ ଜନ ଜୀବନକୁ ଆହୁରି ଜନ୍ତ୍ରଣା ଦେଉଛି । ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ୫ନଂ ଓ ୯ ନଂ ୱାର୍ଡର ୫୦ରୁ ଉର୍ଦ୍ଧ ପରିବାର ଜଳ କଷ୍ଟ ଭୋଗୁଛନ୍ତି । ଏହି ଦୁଇଟି ୱାର୍ଡର ଲୋକେ ପାନୀୟ ଜଳ ପାଇଁ ସରକାରୀ ଟ୍ୟାପ ଉପରେ ନିର୍ଭର କରୁଥିବା ବେଳେ ଟ୍ୟାପରେ କେତେ ବେଳେ ପାଣି ଆସୁଛି ତ କେତେ ବେଳେ ନାହିଁ । ଫଳରେ ଲୋକେ ନିଦ୍ଧିଷ୍ଠ ସମୟକୁ ଅପେକ୍ଷା କରି ରହିଥାନ୍ତି । ହେଲେ ୩ ଦିନ ହେବ ଆଉ ଏହି ଟ୍ୟାପରେ ପାଣି ଆସୁନଥିବାରୁ ଲୋକେ ପାନୀୟଜଳ ପାଇଁ ନାହିଁ ନଥିବା ହିନସ୍ତା ହେଉଛନ୍ତି । ଗ୍ରାମ ଠାରୁ ଦୁରରେ ଥିବା ତାରିଣୀ ମନ୍ଦିର ପରିସରରେ ଥିବା ଏକ ନଳକୂଅ ଏବେ ୫୦ପରିବାରର ଜଳକଷ୍ଠ ଦୁରକରୁଛି ସତ କିନ୍ତୁ ଏଠାରୁ ପାଣି ଆଣିବାକୁ ଗ୍ରାମର ମହିଳା, ବୃଦ୍ଧା, ଛୋଟ ଛୋଟ ପିଲା ମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଗ୍ରାମର ଦୁଇଟି ସରକାରୀ ନଳକୂଅ ସ୍ଥାପନ ପାଇଁ ଗ୍ରାମବାସୀ ବହୁବାର ବିଭାଗିୟ ଅଧିକାରୀ ମାନଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏଯାବତ କୈାଣସି ସୁଫଳ ମିଳୁନାହିଁ । ଅନ୍ୟପକ୍ଷରେ ବ୍ଲକର ୨୯ ପଞ୍ଚାୟତ ବାସୀନ୍ଦାଙ୍କ ଜଳ କଷ୍ଟକୁ ଦୁରକରିବା ପାଇଁ ସରକାରଙ୍କ ପକ୍ଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଜଳକଷ୍ଟ ଦୁର କରିବାରେ ବିଫଳ ହୋଇଛି । ଠିକା ସଂସ୍ଥା କାର୍ଯ୍ୟ କରିବାର ଅବଧି ଶେଷ ହୋଇଥିଲେ ମଧ୍ୟ ଏଯାବତ୍ କାର୍ଯ୍ୟ ସମ୍ପୁର୍ଣ୍ଣ ହେଉନି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ଠିକାସଂସ୍ଥା ପ୍ରତି କହିଲେ ନସରେ । ଲୋକେ ହିନସ୍ତା ଭୋଗୁଥିବା ବେଳେ ପ୍ରଶାସନର ପ୍ରାଥମିକତା ହେଉଛି ଲୋକଙ୍କ ସମସ୍ୟାର ସମାଧାନ କରିବା କିନ୍ତୁ ଏଠାରେ ଚିତ୍ର କିଛି ଅଲଗା ଲୋକଙ୍କ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱ ଦେଉନାହିଁ । ଫଳରେ ଏହି ଗ୍ରାମର ୨ଟି ୱାର୍ଡ ବାସୀନ୍ଦା ଜଳ କଷ୍ଟ ଭୋଗ କରୁଛନ୍ତି । ଆଗକୁ ଗ୍ରୀଷ୍ମର ପ୍ରଭାବ ଆହୁରି ପ୍ରଖର ହେବ । ତେଣୁ ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ୱାର୍ଡବାସୀ ଦାବି କରିଛନ୍ତି ।