ଆଜି ଶପଥ ନେବେ ରେଖା ଗୁପ୍ତା

ନୂଆଦିଲ୍ଲୀ : ଦିଲ୍ଲୀ ପାଇଁ ବିଜେପି ଏହାର ମୁଖ୍ୟମନ୍ତ୍ରୀ ମନୋନୟନ କରିଛି। ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ବିଜେପିର ନବ ନିର୍ବାଚିତ ବିଧାୟକଙ୍କ ବୈଠକରେ ରେଖା ଗୁପ୍ତାଙ୍କୁ ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି। ଆଜି ରାମଲୀଲା ମୈଦାନରେ ଅନୁଷ୍ଠିତ ଉତ୍ସବରେ ସେ ଶପଥ ଗ୍ରହଣ କରିବେ। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ମନୋନୀତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବେ ସାଂସଦ ରବିଶଙ୍କର ପ୍ରସାଦ ଓ ବିଜେପି ଜାତୀୟ ସମ୍ପାଦକ ଓମ୍ପ୍ରକାଶ ଧନକଡ଼ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ମନୋନୀତ ହେବା ପରେ ରେଖା ବିଧାୟକ ମାନଙ୍କ ଏକ ପ୍ରତିନିଧି ଦଳ ସହ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ଭେଟି ସରକାର ଗଠନ ପାଇଁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ଦଳ ନେତା ଘୋଷଣା ପରେ ରେଖା ଗୁପ୍ତା ଦଳୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳ ତାଙ୍କ ଉପରେ ବିଶ୍ବାସ ପ୍ରକଟ କରିଥିବାରୁ ସେ କୃତଜ୍ଞ ବୋଲି ରେଖା କହିଛନ୍ତି। ଅନ୍ୟପଟେ ରେଖା ମୁଖ୍ୟମନ୍ତ୍ରୀ ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି। ସୁଷମା ସ୍ବରାଜ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ରେଖା ଏହି ଧାଡିର ଚତୁର୍ଥ ସ୍ଥାନରେ ରହିବେ। ସୁଷମାଙ୍କ ପରେ କଂଗ୍ରେସର ଶୀଲା ଦୀକ୍ଷିତ ଓ ଆପ୍ର ଆତିଶୀ ସିଂହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ରହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ରେଖା ଗୁପ୍ତା ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଶାଲିମାର ବାଗ ଆସନରେ କଂଗ୍ରେସର ପ୍ରବୀଣ କୁମାର ଜୈନଙ୍କୁ ୨୯,୫୯୫ଟି ଭୋଟରେ ପରାସ୍ତ କରିଛନ୍ତି।