‘ଭିଜିଟର୍ସ କନଫରେନ୍ସ’ ଉଦ୍ୟାପିତ: ଛାତ୍ରଛାତ୍ରୀ ଆମ ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ: ଧର୍ମେନ୍ଦ୍ର

 ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତର ଶିକ୍ଷାକୁ ଆକାର ଦେବାର ଦାୟିତ୍ୱ ଆମ କାନ୍ଧ ଉପରେ ନ୍ୟସ୍ତ ରହିଛି । ତେଣୁ ଜାତୀୟ ଶିକ୍ଷା ନୀତି  ୨୦୨୦କୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିବା ଆମର ରାଷ୍ଟ୍ରୀୟ ମିଶନ ହେବା ହେବା ଦରକାର ବୋଲି ମଙ୍ଗଳବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ‘ଭିଜଟର୍ସ କନଫରେନ୍ସର ଉଦ୍ୟାପନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଅଧିବେଶନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭିଜିଟର୍ସ କନଫରେନ୍ସରେ ସକ୍ରିୟ ଯୋଗଦାନ ଏବଂ ଫଳପ୍ରଦ ଆଲୋଚନା ପାଇଁ ଆମର ଶିକ୍ଷାବିତ୍ ନେତୃତ୍ୱମାନଙ୍କୁ ଧନ୍ୟବାଦ । ସେମାନଙ୍କର ବିବିଧ ଦୃଷ୍ଟିକୋଣ ଏବଂ ଭବିଷ୍ୟତବାଦୀ ଚିନ୍ତାଧାରା ଏହି ସଂଗମକୁ ସମୃଦ୍ଧ କରିଛି ଏବଂ ଆମ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ଏହି ଦୁଇ ଦିବସୀୟ  ଅଧିବେଶନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଗାମୀ ରାସ୍ତା ଆହ୍ୱାନପୂର୍ଣ୍ଣ ହୋଇପାରେ, କିନ୍ତୁ ସାମୂହିକ ପ୍ରୟାସ, ମିଳିତ ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତା ଦ୍ୱାରା ଆମେ ଆମର ଶିକ୍ଷା ବ୍ୟବସ୍ଥାର ପୁନଃକଳ୍ପନା କରିପାରିବା । ଆମେ ଏକ ଜ୍ଞାନ-ପରିଚାଳିତ, ଆତ୍ମନିର୍ଭର ଭାରତ ଗଠନ କରିବା ଦରକାର । ଯାହା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଗତି ଦେବ । ଛାତ୍ରଛାତ୍ରୀମାନେ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟୋକ୍ହୋଲଡର ଅଟନ୍ତି । ସେମାନେ ହେଉଛନ୍ତି ଆମ ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ । ଆମେ ଛାତ୍ରଛାତ୍ରୀଙ୍କ ଆଗ୍ରହ ଥିବା ବିଷୟ ଗୁଡିକୁ କେବେ ବି ଭୁଲିବା ଉଚିତ୍ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଥିଲେ ।