ବିଶ୍ବର ତୃତୀୟ ଅର୍ଥନୀତି ହେବ ଭାରତ : ରାଷ୍ଟ୍ରପତି

 ଆଜିଠୁ ସଂସଦରେ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଏହାପୂର୍ବରୁ ଦେଶବାସୀଙ୍କ ସ୍ୱାର୍ଥରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୋଦୀ ସରକାରଙ୍କ ସଫଳତାକୁ ଗଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଯେ, ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । କେନ୍ଦ୍ର ସରକାର ଆରମ୍ଭ କରିଥିବା ଯୋଜନା ଏବଂ ଏଥିପାଇଁ ଦେଶବାସୀ ଜୀବନରେ ପଡ଼ୁଥିବା ସକରାତ୍ମକ ପ୍ରଭାବ ବିଷୟରେ ସେ ଆଲୋଚନା କରିଛନ୍ତି ।  

ରାଷ୍ଟ୍ରପତି କହିଛନ୍ତି ଯେ, ଆମ ସରକାର କ୍ରମାଗତ ଭାବରେ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି, ଯାହାର ଫାଇଦା ମଧ୍ୟ ଦେଖାଯାଉଛି । ବିଦେଶରୁ ବହୁ ପୁଞ୍ଜି ବିନିଯୋଗ ଆସୁଛି ଏବଂ ଏହି କାରଣରୁ ଦେଶର ଯୁବକମାନେ ନିଯୁକ୍ତି ସୁଯୋଗ ପାଇଛନ୍ତି । ନିଜ ସମ୍ବୋଧନରେ ସେ ସମ୍ବିଧାନର ୭୫ ବର୍ଷ ପୂରଣ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସେ ଜମ୍ମୁ କାଶ୍ମୀରରେ ରେଳ ପ୍ରକଳ୍ପର ସମାପ୍ତିକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । ଏହା ସହିତ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏକ ବଡ଼ ଧରଣର ଅଗ୍ରଗତି ଘଟିଥିବା କଥା କହିଛନ୍ତି ।

‘ଦେଶର ଗରିବମାନେ ସମ୍ମାନ ପାଇଲେ’ : 
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ସରକାରୀ ଯୋଜନା ଯୋଗୁଁ ଦେଶର ଗରିବ ଲୋକ ସମ୍ମାନ ପାଇଛନ୍ତି । ଏହା ବ୍ୟତୀତ କେନ୍ଦ୍ର ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଛି ସରକାର । ଏହାର ଏକ ଉଦାହରଣ ହେଉଛି ଆଜି ମହିଳାମାନେ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଉଛନ୍ତି । ସେ କହିଛନ୍ତି ଯେ ଏହି ବଡ଼ ସଫଳତା ସହିତ ଆମ ସରକାର ଆରମ୍ଭ କରିଥିବା ଯୋଜନାର ପ୍ରଭାବ, ସ୍ୱାସ୍ଥ୍ୟସେବା ସମେତ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଛି ଯାହା ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛି । ରାଷ୍ଟ୍ରପତି କହିଛନ୍ତି ଯେ, ଆମ ସରକାରଙ୍କ ବିଶ୍ୱାସ ଯେ, ୧୪୦ କୋଟି ଦେଶବାସୀଙ୍କୁ ସେବା କରିବା ଆମର ମୁଖ୍ୟ କର୍ତ୍ତବ୍ୟ ଏବଂ ଏହା ଦିଗରେ କାର୍ୟ୍ୟ କରୁଛି । 

ଆମର ଏକମାତ୍ର ସଂକଳ୍ପ ହେଉଛି 'ବିକଶିତ ଭାରତ'  :
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହୁରି ମଧ୍ୟ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଆଦିବାସୀ ଅଞ୍ଚଳରେ ୩୦ଟି ମେଡିକାଲ୍ କଲେଜ ଖୋଲାଯାଇଛି, ଯାହାର ଫାଇଦା ସମାଜର ପ୍ରତ୍ୟେକ ବିଭାଗ ଦ୍ୱାରା ଉପଲବ୍ଧ ହେଉଛି । ଉତ୍ତର-ପୂର୍ବର ବିକାଶ ଯୋଜନା ଉପରେ କାର୍ୟ୍ୟ କରାଯାଇଛି । ଦଳିତ ଏବଂ ବଞ୍ଚିତ ସମାଜ ସରକାରୀ ଯୋଜନାରୁ ଉପକୃତ ହୋଇଛି । ଆମ ସରକାରରେ ଭିନ୍ନକ୍ଷମମାନେ ସରକାରୀ ଯୋଜନାର ସୁବିଧା ପାଇଛନ୍ତି । ଭାରତ ବିଶ୍ୱଗୁରୁ   ଭାବରେ ନିଜର ପରିଚୟ ସୃଷ୍ଟି କରିଛି । ଆଜି ଜମ୍ମୁ କାଶ୍ମୀରରେ ବିକାଶର ଏକ ପରିବେଶ ସୃଷ୍ଟି ହୋଇଛି ଏବଂ ଧାରା ୩୭୦ ଅପସାରଣ ଅଭିବୃଦ୍ଧି ପାଇଁ ପ୍ରେରଣା ଦେଇଛି ।   ସମ୍ବୋଧନ ଶେଷରେ ରାଷ୍ଟ୍ରପତି କହିଛନ୍ତି ଯେ, ଆମର କେବଳ ଗୋଟିଏ ସଂକଳ୍ପ ଏବଂ କେବଳ ଗୋଟିଏ ଲକ୍ଷ୍ୟ ଅଛି 'ବିକଶିତ ଭାରତ' ।