ପର୍ତ୍ତୁଗାଲରେ ମୁର୍ମୁ: ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ
ନୂଆଦିଲ୍ଲୀ: ପର୍ତ୍ତୁଗାଲ ଗସ୍ତର ଦ୍ୱିତୀୟ ଦିନରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲିସବନଠାରେ ପର୍ତ୍ତୁଗିଜ ସଂସଦର ଅଧ୍ୟକ୍ଷ ମହାମହିମ ଜୋସେ ପେଡ୍ରୋ ଆଗୁଆର-ବ୍ରାଙ୍କ୍ଙ୍କୁ ଭେଟିଥିଲେ । ଭାରତ ଓ ପର୍ତ୍ତୁଗାଲର ସଂସଦ ମଧ୍ୟରେ ନିୟମିତ ଆଦାନ ପ୍ରଦାନ ଦୁଇଦେଶ ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ସେମାନେ ଏକମତ ଥିଲେ । ରାଷ୍ଟ୍ରପତି ଲିସବନ ଠାରେ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମହାମହିମ ଲୁଇସ୍ ମଣ୍ଟେନେଗ୍ରୋଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ବୈଠକରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଲୋଚନା କରିଥିଲେ । ବ୍ୟବସାୟ ଓ ବାଣିଜ୍ୟ, ପ୍ରତିରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଶକ୍ତି ଭଳି ଅନେକ କ୍ଷେତ୍ରରେ ସହଯୋଗର ଅଧିକ ସୁଯୋଗ ରହିଛି ବୋଲି ସେମାନେ ସହମତି ପ୍ରକାଶ କରିଥିଲେ ।
ସୂଚନା ଯେ, ଗତକାଲି ରାଷ୍ଟ୍ରପତି ମୁର୍ମୁ ରାଷ୍ଟ୍ରପତି ମାର୍ସେଲୋ ରିବେଲୋ ଡି ସୋସାଙ୍କ ସହ ଲିସବନ ସ୍ଥିତ ଚମ୍ପାଲିମାଉଡ୍ ଫାଉଣ୍ଡେସନ ପରିଦର୍ଶନ କରି ସ୍ନାୟୁବିଜ୍ଞାନ, ଅଙ୍କୋଲୋଜି, ପରୀକ୍ଷାମୂଳକ କ୍ଲିନିକାଲ୍ ଗବେଷଣା ଏବଂ ସ୍ୱୟଂଚାଳିତ ଔଷଧ ବିତରଣ କ୍ଷେତ୍ରରେ ବିଭିନ୍ନ ଗବେଷଣା ଓ ବିକାଶ ପଦକ୍ଷେପ ଦେଖିଥିଲେ । ଫାଉଣ୍ଡେସନ୍ ଏବଂ ପର୍ତ୍ତୁଗାଲର ଅନ୍ୟାନ୍ୟ ଅନୁଷ୍ଠାନରେ କାର୍ଯ୍ୟରତ ଭାରତୀୟ ଗବେଷକ ଏବଂ ପଣ୍ଡିତମାନଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିଥିଲେ । ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଭାରତ-ପର୍ତ୍ତୁଗାଲ ସହଯୋଗକୁ ଗଭୀର କରିବାରେ ଭାରତୀୟଙ୍କ ଭୂମିକା ପାଇଁ ସେ ପ୍ରଶଂସା କରିଥିଲେ । ଚମ୍ପାଲିମାଉଡ୍ ସେଣ୍ଟର ଫର ଦି ଅନନୋନ୍ ହେଉଛି ଏକ ଅତ୍ୟାଧୁନିକ ଚିକିସôା, ବୈଜ୍ଞାନିକ ଏବଂ ବୈଷୟିକ ଅନୁଷ୍ଠାନ ଯେଉଁଠାରେ ପ୍ରୟୋଗିକ ଗବେଷଣା କାର୍ଯ୍ୟକଳାପ ଏବଂ ଉନ୍ନତ ଶିକ୍ଷା କାର୍ଯ୍ୟକ୍ରମ ସହିତ ଆନ୍ତଃବିଭାଗୀୟ କ୍ଲିନିକାଲ କେୟାର ବିକଶିତ କରାଯାଉଛି । ଏହାପରେ ରାଷ୍ଟ୍ରପତି ଲିସବନ ଠାରେ ଥିବା ମହାତ୍ମା ଗାନ୍ଧୀ ଓ କସ୍ତୁରବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଲିସବନରେ ଅନୁଷ୍ଠିତ ଅନ୍ତିମ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପର୍ତ୍ତୁଗାଲରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉସôବରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ରାଷ୍ଟ୍ର ମନ୍ତ୍ରୀ ନିମୁକେନ୍ ଜୟନ୍ତୀଭାଇ ବମ୍ଭନିଆ, ସାଂସଦ ଧବଳ ପଟେଲ ଓ ସନ୍ଧ୍ୟା ରାୟ ଉପସ୍ଥିତ ଥିଲେ ।