କଥା ଦେଇ କଥା ରଖିଲେ ବିଧାୟକ 

 ବାଲେଶ୍ୱର : ବବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାର୍ଥା ପଞ୍ଚାୟତର ସମୁଦ୍ରକୁଳିଆ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି । ବର୍ଷ ବର୍ଷ ଧରି ଲୁଣା ପାଣି ମାଡ଼ି ଯିବାର ଭୟ ମଧ୍ୟରେ କାଳାତିପାତ କରୁଥିବା ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ ନିର୍ମାଣ ହେବାକୁ ଯାଉଛି ଲୁଣାବନ୍ଧ । ଲୁଣାବନ୍ଧ ନିର୍ମାଣ ଦାବିକୁ ବାସ୍ତବତାର ରୂପ ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ସାର୍ଥା ପଞ୍ଚାୟତର ବୁଦ୍ଧିଆମାରୀ ମୁହାଣ ନିକଟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲୁଣା ବନ୍ଧ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ପ୍ରଦାନ କରାଯାଇଛି  ।  ଡୁବୁଡୁବି ନଦୀର ଦକ୍ଷିଣ ପାର୍ଶ୍ୱକୁ ସାର୍ଥା ପଞ୍ଚାୟତରେ ଏହି ଲୁଣା ବନ୍ଧ ନିର୍ମାଣ ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବିଧାୟକ ଦତ୍ତ ଆନୁଷ୍ଠାନିକ ଭାବେ ଶୁଭ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ବନ୍ଧ ନିର୍ମାଣ ପାଇଁ ୨୧କୋଟି ୮୩ଲକ୍ଷ ୭୧ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ୨୦୨୭ ମସିହା ମାର୍ଚ୍ଚ ମାସ ସୁଦ୍ଧା ଏହା ଶେଷ ହେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ସାରିବାକୁ ଉଭୟ ସାଂସଦ ଓ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଲୁଣା ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେମାନଙ୍କ ଦୀର୍ଘ ଦିନର ଯନ୍ତ୍ରଣା ଲାଘବ ହେବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି । ପିତା ସ୍ୱର୍ଗତଃ ଦତ୍ତଙ୍କ ପ୍ରତିଶୃତି ରକ୍ଷା କରିବାକୁ ପୁତ୍ର ବିଧାୟକ ମାନସ ଦତ୍ତଙ୍କ ପଦକ୍ଷେପକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି ।