କୋରାପୁଟ ଆଦିବାସୀ ଛାତ୍ରୀକୁ ବଳକ୍ରାର ଘଟଣା : ଛାତ୍ରବାସରେ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ

 ଭୁବନେଶ୍ୱର : କୋରାପୁଟର ଲମତାପୁଟର ଗୁନେଇପଡା ଛାତ୍ରାବାସରେ ଆଦିବାସୀ  ନାବାଳିକା ଛାତ୍ରୀଙ୍କ ପ୍ରତି ଯୌନ ନିର୍ଯାତନା ଏବଂ ବଳାକ୍ରାର ପରି ସମ୍ୱେଦନଶୀଳ ଘଟଣାରେ ବିଜେଡି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି । ୧୩ ଏପ୍ରିଲ୍ ୨୦୨୫ ରାତିରେ ଗୁନେଇପଡା ପଞ୍ଚାୟତ କଳାପଡାର ଏହି ୮ ବର୍ଷୀୟ ଆଦିବାସୀ ଝିଅକୁ ବଳାକ୍ରାର ଘଟଣାକୁ ବିଜେଡି ନିନ୍ଦା କରିବା ସହ ଆଜି ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି । ଏହି ଟିମ୍ରେ ପୂର୍ବତନ ସାଂସଦ ଝିନ୍ନ୍ନ ହିକ୍କା, ପୂର୍ବତନ ବିଧାୟକ ରଘୁରାମ ପାଡଲ, ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଏବଂ ପୂର୍ବତନ ବିଧାୟକ ପ୍ରୀତମ ପାଢୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, କୋରାପୁଟର ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକ୍କାଙ୍କ ସମେତ ଅନ୍ୟମାନେ ପ୍ରମୁଖ ସାମିଲ ହୋଇଛନ୍ତି ।
ହଷ୍ଟେଲର ଅଧ୍ୟକ୍ଷଙ୍କ ଦ୍ୱାରା ଘୋର ଅବହେଳାକୁ ଏହି ଟିମ୍ ନିନ୍ଦା କରିଥିଲା । ଅପରାଧ ରିପୋର୍ଟ କରିବାରେ, ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିଲେ ବୋଲି ସେମାନେ କହିଛନ୍ତି ।  ପୀଡିତା ନାବାଳିକାଙ୍କୁ ଘରକୁ ପଠାଯାଇଥିଲା ଏବଂ ତାଙ୍କ ପିତାମାତା ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବନତି ଦେଖିବା ପରେ ହିଁ ଭୟଙ୍କର ସତ୍ୟ ସାମ୍ନାକୁ ଆସିଥିଲା ବୋଲି ବିଜେଡି ଅଭିଯୋଗ କରିଛି । ଉଲ୍ଲେଖଯୋଗ୍ୟ, ଜୁଲାଇ ୨୦୨୪ ପରଠାରୁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏହି ଛାତ୍ରାବାସଗୁଡ଼ିକରେ ସନେ୍ଦହଜନକ ପରିସ୍ଥିତିରେ ଅତି କମରେ ୨୬ ଛାତ୍ରୀଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଛି । ଯେଉଁଥିରେ ୬ଟି ଦୁଃଖଦ ଆତ୍ମହତ୍ୟା ଅନ୍ତର୍ଭୁକ୍ତ । ବିଜେଡି ଶିଶୁ, ଛାତ୍ରୀ ତଥା ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏବଂ ଓଡ଼ିଶାର ପ୍ରତ୍ୟେକ ଆଦିବାସୀ ଛାତ୍ରଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଗୁରୁତ୍ୱ ଦେଇ ଆସୁଛି ।