୫ ମାଓବାଦୀ ନିହତ

୫ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଓ ତେଲେଙ୍ଗାନା ସୀମାରେ ବଡ ଧରଣର ମାଓ ଦମନ ଅଭିଯାନ ଜାରି ରହିଥିବା ବେଳେ ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ୨ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଗତ ତିନି ଦିନ ଧରି ଏହି ଅଞ୍ଚଳରେ ୧୦ ହଜାରରୁ ଅଧିକ ଯବାନ ମୁତୟନ ହେବା ସହ ତଲାସି ଅଭିଯାନ ଜୋରଦାର କରାଯାଇଛି  । ଫଳରେ ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ମଧ୍ୟ ଏହି ଅପରେସନ ଜାରି ରହିଥିବା ବେଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେହିପରି ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ କରାଯାଇଛି । ବିଭିନ୍ନ ସ୍ଥାନରେ ମାଓବାଦୀ ଖଞ୍ଜିଥିବା ଶତାଧିକ ଆଇଇଡି ବୋମାକୁ ଉଦ୍ଧାର କରାଯାଇଛି । ତେବେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଅପରେସନରେ ବାୟୁ ସେନାର ହେଲିକପ୍ଟର ସାମିଲ ହୋଇଛି । ଅତ୍ୟାଧୁନିକ ଡ୍ରୋନ ସାହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଉଛି  । ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ ଡିଆରଜି ଓ କୋବ୍ରା ଯବାନ ଅପରେସନରେ ସାମିଲ ଅଛନ୍ତି  । ଆଗକୁ ଏହି ଅଞ୍ଚଳରେ ଆହୁରି ବଡ ଧରଣର ଗୁଳି ବିନିମୟ ହେବାର ସମ୍ଭାବନା ରହିଥିବା ବେଳେ ମାଓ ନେତା ହିଡମା ଯବାନଙ୍କ ମୁଖ୍ୟ ଟାର୍ଗେଟରେ ରହିଛି ।