ରାଜଧାନୀରେ ହାତୀ ଆତଙ୍କ

ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ବର ଏମ୍ସ ନିକଟରେ ହାତୀକୁ ଦେଖିବାକୁ ମିଳିଛି । ଏମ୍ସ ନିକଟରେ ଥିବା କାଜୁ ଜଙ୍ଗଲରେ ହାତୀ ପଶିଛି । ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ହାତୀଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ସେପଟେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖୁଦୁପୁରରେ ଦନ୍ତା ହାତୀ ଆତଙ୍କ । ଦୁଇ ଦିନ ହେବ ତୋଟା ଅଞ୍ଚଳରେ ବୁଲିଛି ଏକ ଗୋଠଛଡ଼ା ଦନ୍ତା । ହାତୀକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀଟି ଜନବସତିକୁ ପଶି ଆସୁଥିବାରୁ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ । ରାତିରେ ଶୋଇଥିବା ବେଳେ କାଳେ ହାତୀ ଘର ଭାଙ୍ଗିବ ସେ ନେଇ ମଧ୍ୟ ଲୋକେ ଛାନିଆ । ତେବେ ବନ ବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଚାଲିଛି।