ବନ୍ୟାସ୍ଥିତି ପରଖିଲେ ପ୍ରଭାତୀ ; ଆକାଶମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ
ବାଲେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱରର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଆକାଶମାର୍ଗରୁ ସ୍ଥିତି ପରଖିଛନ୍ତି । ଏହାସହ ଜିଲ୍ଲାରେ କେତେ ଚାଷ ଜମି ଓ କେତେ ଗାଁ ପ୍ରଭାବିତ ହୋଇଛି ତା’ର ସମୀକ୍ଷା କରିଛନ୍ତି । ସମୀକ୍ଷା ଅବସରରେ ଲୋକପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ପ୍ରଥମେ ଆକାଶମାର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ବୁଲି ଦେଖିଥିଲେ । ଆକାଶମାର୍ଗରୁ ଲୋକପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ବନ୍ୟାଜଳ ପ୍ରଭାବିତ ଚାଷଜମି ଏବଂ ବିଭିନ୍ନ ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଥିବା ଅନୁଧ୍ୟାନ କରିଥିଲେ । ବିଶେଷ କରି ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ମୋଟ ୬ଟି ବ୍ଲକ୍ର ୧୫୪ ଗାଁ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ ପ୍ରଭାବିତ ହୋଇଛି । ଏହାପରେ କ୍ଷେତ୍ର ପରିଦର୍ଶନରେ ଭୋଗରାଇ ବ୍ଲକ୍ର ବାଉଁଶଖଣା ସମେତ ବିଭିନ୍ନ ଅଞ୍ଚଳକୁ ବୋଟ୍ ଯୋଗେ ଯାଇ ଉଦ୍ଧାର କାର୍ଯ୍ୟ ଓ ଅନ୍ୟ ସରକାରୀ ପଦକ୍ଷେପର ସମୀକ୍ଷା କରିଥିଲେ ।
ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ବନ୍ୟା ପରିସ୍ଥିତି, କ୍ଷୟକ୍ଷତି ଏବଂ ସମସ୍ତ ପ୍ରାଥମିକ ସୁବିଧା ଉପଲବ୍ଧ ବିଷୟରେ ଆଲୋଚନା କରିଥିଲେ । ବାଲିଆପାଳ ବ୍ଲକ୍ର ମଧୁପୁର ପଞ୍ଚାୟତର ଚୌଧୁରୀକୁଦ ଗାଁ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କ ସହ ବନ୍ୟା ପରିସ୍ଥିତି, କ୍ଷୟକ୍ଷତି ଏବଂ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ସମସ୍ତ ପ୍ରାଥମିକ ସୁବିଧା ବାବଦରେ ପଚାରି ବୁଝିଥିଲେ । ଭୋଗରାଇ ଏବଂ ବାଲିଆପାଳ ବ୍ଲକ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ତାଳସରି ସ୍ଥିତ ପାନ୍ଥନିବାସଠାରେ ବନ୍ୟା ପରିଚାଳନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ବିଧାୟକମାନଙ୍କଠାରୁ ନିଜ ନିଜ ଅଞ୍ଚଳରେ ବର୍ତ୍ତମାନର ବନ୍ୟା ସ୍ଥିତି, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ପଲିଥିନ ଏବଂ ଗୋ ଖାଦ୍ୟର ଉପଲବ୍ଧି ଓ ଯୋଗାଇବା ବିଷୟରେ ମତାମତ ନେଇଥିଲେ । ଆଲୋଚନା ପରେ ଜିଲ୍ଲାପାଳଙ୍କୁ ପ୍ରଭାବିତ ଅଞ୍ଚଳରେ ଜନସାଧାରଣ ଏବଂ ପ୍ରାଣୀ ସମ୍ପଦଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ନେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଦେଇଥିବା ନିର୍ଦ୍ଦେଶ ବାବଦରେ ସମସ୍ତଙ୍କୁ ଅବଗତ କରିଥିଲେ ।