ପରିଚୟ ହରାଉଛି ସେମିଳିଗୁଡା ମିଶ୍ରିତ କୃଷି ଫାର୍ମ

 ସେମିଳିଗୁଡା:  ରାଜ୍ୟରେ କୃଷିର ଉନ୍ନତି ପାଇଁ ଏକାଧିକ ଯୋଜନା ପ୍ରଣୟନ ହେଉଥିବାବେଳେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅବହେଳିତ  ଅବସ୍ଥାରେ ରହିଛି ଏକଦା ସାରା ଓଡିଶାର ଏକମାତ୍ର ମିଶ୍ରିତ କୃଷି ଫାର୍ମ ଓ ବିହନ ଉତ୍ପାଦନ କେନ୍ଦ୍ର ଭାବେ ସୁନାମ ଅର୍ଜନ କରିଥିବା ସେମିଳିଗୁଡା ମିଶ୍ରିତ କୃଷି ଫାର୍ମ । ରାଜ୍ୟରେ କୃଷିର ବିକାଶ ପାଇଁ ଉନ୍ନତମାନର ବିହନ ଉତ୍ପାଦନ ସହ ଫଳ ଚାଷ କରିବା ଲକ୍ଷ୍ୟରେ କୃଷି ବିଭାଗ ଦ୍ୱାରା ୧୯୬୪ ମସିହାରେ ସେମିଳିଗୁଡା ଠାରୁ ତିନି କିମି ଦୂରରେ ଥିବା ଜାନିଗୁଡା ଠାରେ ସମୁଦାୟ ୩୫୨.୫୮୭ ହେକ୍ଟର କ୍ଷେତ୍ରଫଳ ଜମିରେ ମିଶ୍ରିତ କୃଷି ଫାର୍ମ ପ୍ରତିଷ୍ଠା କରାଯଇଥିଲା । ଏହା ଏସିଆ ମହାଦେଶର ସବୁଠୁ ବଡ଼ ମିଶ୍ରିତ କୃଷି ଫାର୍ମ ରୂପେ ପରିଗଣିତ ହୋଇଥିଲା । ତେବେ ସେହି ସମୟରେ ବିହନ ବିଭାଗ ଓ ଉଦ୍ୟାନ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଥିବାରୁ ଧାନ, ମାଣ୍ଡିଆ, ଅଳସୀ ଆଦି ବିହନ ପ୍ରସ୍ତୁତି ସହ ଆମ୍ବ, ପିଜୁଳି, କାଜୁ ଆଦି ଫଳ ଗଛ ଲଗାଯାଇଥିଲା । ଭୌଗଳିକ ଦୃଷ୍ଟିକୋଣରୁ କୃଷି ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ଥିବା ଏହି ଫାର୍ମ ବିହନ ଓ ଫଳ ଉତ୍ପାଦନରେ ଦେଶ ତଥା ରାଜ୍ୟରେ ସୁନାମ ଅର୍ଜନ କରିବା ସହ ଏଠାରୁ ଉତ୍ପାଦିତ ଆମ୍ବ, ପିଜୁଳି ବାହାର ରାଜ୍ୟକୁ ରପ୍ତାନି ହେବା ସହ ବେଶ ଦୁଇ ପଇସା ଆମଦାନୀ ହେଉଥିଲା । ତେବେ ଫାର୍ମ ସ୍ଥାପନ ହେବାର ଆଜିକୁ ୬୦ ବର୍ଷ ବିତିଥିଲେ ମଧ୍ୟ ଉନ୍ନତ ହେବା ପରିବର୍ତ୍ତେ ଏହା ଅବନତି ଆଡକୁ ଗତି କରୁଛି । ଆରମ୍ଭ ବେଳେ ପ୍ରାୟ ୬୦ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିବାବେଳେ ଆଜି ମାତ୍ର ୪ ଜଣ କର୍ମଚାରୀଙ୍କ ଭରସାରେ ରହିଛି । ସେହିପରି ଆରମ୍ଭରୁ ଏଠାରେ ଥିବା କୃଷି ବିଭାଗ ଡେପୁଟି ଡାଇରେକ୍ଟରଙ୍କ କାର୍ଯ୍ୟାଳୟ ବନ୍ଦ ହୋଇ ଯାଇଥିବାବେଳେ ୨୦୦୯ ମସିହା ପର ଠାରୁ କୌଣସି ଅଧିକାରୀଙ୍କୁ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ମିଳିନଥିବାରୁ ନନ୍ଦପୁର କିମ୍ବା ସେମିଳିଗୁଡା କୃଷି ଅଧିକାରୀଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ଦିଆଯାଉଛି । ସେହିପରି ୨୦୦୯ମସିହା ଠାରୁ କୌଣସି କୃଷି ଯନ୍ତ୍ରପାତି କିଣା ଯାଇନଥିବା ବେଳେ ଗୋଟିଏ ମାତ୍ର ଟ୍ରାକ୍ଟର ଅଚଳ ଅବସ୍ଥାରେ ରହିଛି । ଫଳରେ ଫାର୍ମ ମଧ୍ୟରେ ରହିଥିବା ୧୬୪.୯ ହେକ୍ଟର ଚାଷ ଜମିରୁ ମାତ୍ର ୧୧ ହେକ୍ଟର ଜମିରେ ପିଜୁଳି ଗଛ, ୧.୨ ହେକ୍ଟର ଜମିରେ ଆମ୍ବ, ୨୭.୯୩ ହେକ୍ଟର କାଜୁ, ୨୩ ହେକ୍ଟର ଧାନ, ୧୪ ହେକ୍ଟର ମାଣ୍ଡିଆ ଓ ୧୩ ହେକ୍ଟର ଜମିରେ ଅଳସୀ ଚାଷ ହେଉଥିବା ବେଳେ ବାକି ଜମି ସମ୍ପୂର୍ଣ୍ଣ ପଡିଆ ପଡିଛି । ଏଥିସହିତ ସମଗ୍ର ଫାର୍ମ ଅଞ୍ଚଳ ବଣ ବୁଦାରେ ପରିପୂର୍ଣ୍ଣ ହୋଇ ରହିଥିବା ବେଳେ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ କ୍ୱାଟର୍ସ ଜରାଜୀର୍ଣ୍ଣ ସ୍ଥିତିକୁ ଚାଲି ଯାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ସରକାରୀ ପ୍ରୋତ୍ସାହନର ଅଭାବରୁ ଏହି ଫାର୍ମ ଏବେ ପରିଚୟ ହରାଇବା ସ୍ଥିତିକୁ ଚାଲି ଯାଇଛି । ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ଦିନେ ସୁମିଷ୍ଟ ପିଜୁଳି ପାଇଁ ପ୍ରସିଦ୍ଧ ଲାଭ କରିଥିବା ଫାର୍ମର ଗଛ ଗୁଡିକରୁ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି । ୨୦୦୭ ମସିହାରେ ଫାର୍ମ ପିଜୁଳି ଗଛ ଟେଣ୍ଡରରୁ ପ୍ରାୟ ୧ ଲକ୍ଷ ଟଙ୍କା ଆୟ କରୁଥିବାବେଳେ ବର୍ତ୍ତମାନ ଏହା ଶୂନକୁ ଖସି ଆସିଛି । ସେହିପରି କାଜୁ ଗଛ ଗୁଡିକ ମଧ୍ୟ ଦୟନୀୟ ସ୍ଥିତିରେ ଥିବାବେଳେ ଉତ୍ପାଦନ ପ୍ରାୟ ଶୂନ ରହିଛି ।  ୨୦୨୧ ମସିହାରେ ସେମିଳିଗୁଡା କୃଷି ଫାର୍ମକୁ ମଡେଲ ଫାର୍ମରେ ପରିଣତ କରିବା ପାଇଁ ସରକାରୀ ଘୋଷଣା ହେବା ପରେ ଏକ ଟିମ ପହଞ୍ଚି ଫାର୍ମର ସର୍ଭେ କରିଥିଲେ । କିନ୍ତୁ ଏହାର ଅଗ୍ରଗତି ସମ୍ପର୍କରେ କାହା ନିକଟରେ ସଠିକ ସୂଚନା ନ ଥିବାରୁ ଅନ୍ଧକାର ଆଡକୁ ଠେଲି ହେବାରେ ଲାଗିଛି ଫାର୍ମର ଭବିଷ୍ୟତ । ଫାର୍ମରେ ଏବେ ବିହନ ପାଇଁ ଧାନ, ଅଳସୀ ଓ ମାଣ୍ଡିଆ ଲାଗିଥିବାବେଳେ ପିଜୁଳି ଓ କାଜୁ ଗଛ ଗୁଡିକ ୬୦ ବର୍ଷରୁ ଅଧିକ ବୟସର ହୋଇଥିବାରୁ ତାଙ୍କର ଫଳଧାରଣ କ୍ଷମତା କମି ଯାଇଥିବା ଯୋଗୁଁ ଉତ୍ପାଦନ ପ୍ରଭାବିତ ହେଉଥିବା ଜଣାପଡିଛି । କୃଷି ପାଇଁ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ କର୍ମଚାରୀ ଅଭାବ ଓ ଉଚିତ ପ୍ରୋତ୍ସାହନର ଅଭାବ ଯୋଗୁଁ ସେମିଳିଗୁଡା ମିଶ୍ରିତ କୃଷି ଫାର୍ମର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଛି । ରାଜ୍ୟରେ ଉନ୍ନତ ଓ ନୂଆ କିସମର ଚାରା ଓ ବିହନ ଉପରେ ଗବେଷଣା କରି ଓଡିଶା କୃଷକଙ୍କ ସହାୟତା ପାଇଁ ଗଠିତ ଏହି ଫାର୍ମ ଏବେ ଜଙ୍ଗଲ ପାଲଟିଛି । ପୂର୍ବ ଏବଂ ବର୍ତ୍ତମାନ ସରକାରଙ୍କ ଅପାରଗତା ଯୋଗୁଁ ଏହି ଫାର୍ମ ଜରାଜୀର୍ଣ୍ଣ ସ୍ଥିତିକୁ ଚାଲିଯାଇଥିବା ଓ କୃଷକଙ୍କ ସ୍ୱାର୍ଥ ପାଇଁ ଏହାକୁ ପୁନରୁଦ୍ଧାର କରିବା ପାଇଁ ସେ ବିଧାନସଭା ମଧ୍ୟ ଏହାକୁ ନେଇ ପ୍ରଶ୍ନ କରିଥିବା କହିଛନ୍ତି ପଟାଙ୍ଗୀ ବିଧାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ  । ଫାର୍ମରେ ଥିବା ପୁରୁଣା ଗଛ ଜାଗାରେ ନୂଆ ଗଛ ଲଗାଯାଇ ଓ ଆଧୁନିକ କୃଷି ପ୍ରଣାଳୀ ଉପଯୋଗ କରି ଉଚିତ ରକ୍ଷଣା ବେକ୍ଷଣା କରାଗଲେ ମିଶ୍ରିତ କୃଷି ଫାର୍ମ ତାର ପୂର୍ବ ଗୌରବ ଫେରି ପାଇବ ବୋଲି ପ୍ରକାଶ କରିଛନ୍ତି ପୂର୍ବତନ କୃଷି ଅଧିକାରୀ ନୀଳାଚଳ ମିଶ୍ର ।