ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ
ସାଲେପୁର : ସାଲେପୁର ବ୍ଲକ୍ ପଞ୍ଚାୟତ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ୧୨ତମ ସାଧାରଣ ଅଧିବେଶନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାର ବାର୍ଷିକ କାର୍ଯ୍ୟଖସଡ଼ା ୪କୋଟି ୭୦ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଥିଲା । ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବାର୍ଷିକ କାର୍ଯ୍ୟଖସଡ଼ା ଅନୁମୋଦନ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପାନୀୟଜଳ ପରିମଳ ଯୋଜନା ସଂପର୍କରେ ଆଲୋଚନା କରାଯିବା ସହ ଚଳିତ ବର୍ଷ ସାଲେପୁର ବ୍ଲକ୍ରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଦିବ୍ୟାଙ୍ଗ, ବିଧବା ଓ ଏଚ୍ଆଇଭି ସଂକ୍ରମିତ ୬ଶହ ହିତାଧିକାରୀଙ୍କୁ ଗୃହ ବଣ୍ଟନ କରାଯିବାକୁ ସ୍ଥିର କରାଯାଇଥିଲା । ସେହିପରି ସାଲେପୁର ବ୍ଲକ୍ର ବାକିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ୱରାନ୍ୱିତ କରାଯିବାକୁ ସ୍ଥିର କରାଯାଇଥିଲା । ଏଥିରେ ସାଲେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମିତି ବୈଠକରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧି ସନାତନ ଦାସ, ବ୍ଲକ୍ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ଭୂୟାଁ ଯୋଗଦେଇ ଦଳ ବର୍ଣ୍ଣ ନିର୍ବିଶେଷରେ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତ୍ୱରାନ୍ୱିତ କରିବାପାଇଁ ମତ ପ୍ରକାଶ କରିଥିଲେ । ଏହି ସମିତି ବୈଠକରେ ସରପଞ୍ଚ ପବିତ୍ର ସାମଲ, ଜ୍ଞାନରଂଜନ ପଟ୍ଟନାୟକ, ରଶ୍ମିତା ଦାସ, ପ୍ରଭାତ ପାତ୍ର, ସଂଜୟ ବେହୁରା, ପ୍ରିୟଦର୍ଶିନୀ ମଲ୍ଲିକ, ପ୍ରତିମା ସାହୁ, ସମିତିସଭ୍ୟଗୌତମୀ ମଲ୍ଲିକ, ପୁଷ୍ପିତା ଭୂୟାଁ, ସୁଲୋଚନା ସାହୁ, ମାନସ କୁମାର ଦାଶଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମଲ୍ଲିକଙ୍କ ସମେତ ବ୍ଲକ୍ର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।