ୟୋ ୟୋ ହନି ସିଂଙ୍କ ଫିଟନେସ୍ ରହସ୍ୟ? ଜାଣନ୍ତୁ

ରାପର୍ ତଥା ପଞ୍ଜାବୀ ସିଙ୍ଗର୍ ୟୋ ୟୋ ହନି ସିଂହଙ୍କୁ ଅବା କିଏ ନ ଚିହ୍ନିଛନ୍ତି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ହନି ସିଂହଙ୍କ ଗୀତରେ ସାରା ଦୁନିଆ ଝୁମିଛି କହିଲେ କିଛି ଭୁଲ୍ ହେବନି । ସୋ’ ବିଜର ଟପରେ ଥାଇ ଅଚାନକ ଦେହ ଅସୁସ୍ଥ କାରଣରୁ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇଥିଲେ ହନି । ଚିକିତ୍ସା ସମୟରେ ସିଙ୍ଗରଙ୍କୁ ନେଇ ଅନେକ ଗୁଜବ ମଧ୍ୟ ଖେଳିଯାଇଥିଲା । ୫ ବର୍ଷ ପର୍ଯ୍ୟନ୍ତ ବାଇପୋଲର୍ ଡିସଅର୍ଡର ନାମକ ରୋଗ ସହ ଲଢେଇ କରିଥିଲେ ଏହି ରାପ୍ କିଙ୍ଗ୍ । ଯେଉଁଥିପାଇଁ ୨୦୧୪ ରୁ ୨୦୧୫ ମାନସିକ ସ୍ବାସ୍ଥ୍ୟ ଠିକ୍ ନଥିବା କାରଣରୁ ସେ ସିନେ ଇଣ୍ଡଷ୍ଟ୍ରିଠାରୁ ଦୂରେଇ ଯାଇଥିଲେ ।
ଏହି ରୋଗ କାରଣରୁ ସେ ପାଖାପାଖି ସାଢ଼େ ୩ ବର୍ଷ ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରି ନଥିଲେ । ରୋଗରୁ ମୁକ୍ତି ପାଇବା ପାଇଁ ଦୁନିଆର ସବୁଠାରୁ ବେଷ୍ଟ ୭ ଜଣ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ହନି । ଶରୀର ତ ସୁସ୍ଥ ହେଲା କିନ୍ତୁ ବଦଳରେ ବଢିଗଲା ଓଜନ । କାରଣ ଏହି ରୋଗରେ ରୋଗୀଙ୍କୁ ଅନେକ ପ୍ରକାର ଷ୍ଟେରୋଏଡ୍ ଏବଂ ମେଡିସିନ୍ ଖାଇବାକୁ ପଡିଥାଏ । ବଲିଉଡ୍ ଏବଂ ପଞ୍ଜାବୀ ସିନେ ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ଗୋଟିଏ ହିଟ୍ ରାପ୍ ସଙ୍ଗ୍ ଦେଇଥିବା ହନିଙ୍କ ଅନୁପସ୍ଥିତିକୁ ଫ୍ୟାନ୍ସ ଝୁରି ହେଉଥିଲେ । ଇତି ମଧ୍ୟରେ ହନି ସୁସ୍ଥ ହୋଇ ପୁଣିଥରେ ଇଣ୍ଡଷ୍ଟ୍ରିକୁ ଲେଉଟିଥିଲେ ଏବଂ ବର୍ଦ୍ଧିତ ଓଜନର ଶରୀରକୁ ନେଇ ତାଙ୍କର ୨ ଟି ମ୍ୟୁଜିକ୍ ଭିଡ଼ିଓ ମଧ୍ୟ ରିଲିଜ୍ ହୋଇଥିଲା । କିନ୍ତୁ ଫ୍ୟାନ୍ସ ହନିଙ୍କୁ ଦେଖି ସେତେଟା ଖୁସି ନଥିଲେ । ଏଭଳି ସ୍ଥିତିରେ ନିଜକୁ ଫିଟ୍ ରଖିବା ପାଇଁ ହନି ଦିଲ୍ଲୀର ଜଣେ ଟ୍ରେନରଙ୍କ ଅଣ୍ଡରରେ ଜିମ୍ କରି ୧୭ କିଲୋ ଓଜନ କମ୍ କରିଥିଲେ । ହନି ସିଂହଙ୍କୁ ଦିଲ୍ଲୀର ଏକ ଦେଶୀ ଜିମ୍ ରେ ଟ୍ରେନର୍ ଅରୁଣ କୁମାର ଟ୍ରେନିଂ ଦେଇଥିଲେ । ନିକଟରେ ଅରୁଣ କୁମାର ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ହନିଙ୍କ ୱେଟଲସ୍ ଜର୍ଣ୍ଣିଂର ସିକ୍ରେଟ୍ କହିଥିଲେ । ହନି ଓଜନ କମାଇବା ପାଇଁ କେଉଁ ଡାଏଟ୍ ଫଲୋ କରୁଥିଲେ ଏବଂ କେମିତି ୱାର୍କଆଉଟ୍ କରୁଥିଲେ କହିଥିଲେ ଜିମ୍ ଟ୍ରେନର୍ ଅରୁଣ ।
ସାକ୍ଷାତକାର ସମୟରେ ଅରୁଣ କହିଥିଲେ , ‘ହନି ଭାଇ ଯେତେବେଳେ ମୋ ଜିମ୍ ଜଏନ୍ କରିଥିଲେ ତାଙ୍କର ଓଜନ ୯୪ ରୁ ୯୫ କିଲୋ ଥିଲା । ମାତ୍ର ମାସକର ପ୍ରୟାସରେ ସେ ୧୭ କିଲୋ ଓଜନ କମାଇ ୭୭ କିଲୋ କରିବାରେ ସଫଳ ହୋଇଥିଲେ । ଯେତେବେଳେ ହନି ଭାଇଙ୍କୁ ମୁଁ ଭେଟିଥିଲି ତାଙ୍କୁ ଆଗରୁ ହିଁ କହିଦେଇଥିଲି , ୱାର୍କଆଉଟ୍ କମାଇଦେଲେ ଚଳିବ ମୁଁ ବାଲାନ୍ସ କରିଦେବି କିନ୍ତୁ ଫିଟ୍ ହେବାକୁ ଚାହୁଁଥିଲେ ପରଫେକ୍ଟ ଡାଏଟ୍ ପ୍ଲାନ୍ ଗ୍ରହଣ କରିବାକୁ ପଡ଼ିବ । ସେ କହିଥିଲେ ତୁମେ ଯାହା କହିବ ମୁଁ ମାନିବି । ମୁଁ ତାଙ୍କୁ ସକାଳୁ ଖାଲି ପେଟରେ ଗ୍ରୀନ୍ ଜୁସ୍ ପିଇବାକୁ କହିଥିଲି ଏବଂ ମଦ ଛାଡ଼ିବାକୁ ପରାମର୍ଶ ଦେଇଥିଲି । ଯାହାକୁ ସେ ମାନିଥିଲେ ଏବଂ ୬ ମାସ ପୂର୍ବରୁ ମଦ ଛାଡ଼ିଦେଇଥିବା କଥା ମଧ୍ୟ କହିଥିଲେ ।’ଅରୁଣ କୁମାର ଜଣେ ସେଲିବ୍ରିଟି ଟ୍ରେନର୍ । ଯେ ୨୦୦୮ ମସିହାରୁ ଇଣ୍ଡଷ୍ଟ୍ରିର ନାମୀଦାମୀ ସେଲିବ୍ରିଟିଙ୍କ ଜିମ୍ ଟ୍ରେନର୍ ଭାବେ ବେଶ୍ ଜଣାଶୁଣା । ହନି ସିଂହ ନିଜ ଓଜନକୁ ନେଇ ଯେତେବେଳେ ବ୍ୟତିବ୍ୟସ୍ତ ହେଉଥିଲେ ତାଙ୍କୁ ଜଣେ ସେଲିବ୍ରିଟି ବନ୍ଧୁ ଅରୁଣ କୁମାରଙ୍କୁ ଭେଟିବା ପାଇଁ ପରାମର୍ଶ ଦେଇଥିଲେ । ସାକ୍ଷାତକାରରେ ଅରୁଣ କହିଥିଲେ ,ମତେ ଏକ ଅଜଣା ନମ୍ବରରୁ ଥରେ କଲ୍ ଆସିଲା , ଫୋନ୍ ଉଠାଇଲା ବେଳକୁ କଲର୍ ଜଣକ ହ୍ୟାଲୋ ମୁଁ ହନି ସିଂହ ବୋଲି କହିଥିଲେ । ମୁଁ ଭାଇଙ୍କ ସ୍ବର ଶୁଣି ପ୍ରଥମେ ବିଶ୍ବାସ କରିପାରିଲିନି ଯେ ଏତେ ବଡ଼ ସେଲିବ୍ରିଟ୍ ମତେ କଲ୍ କରିଛନ୍ତି । ସେ ଫୋନରେ କହିଲେ , ଅରୁଣ ଭାଇ ମୁଁ ତୁମ ଜିମକୁ ଆସୁଛି , ୧୫ ମିନିଟ୍ ଭିତରେ ପହଞ୍ଚିଯିବି । ମୁଁ ତାଙ୍କୁ କହିଲି , ଆପଣ ମୋ ଜିମ୍ ଠିକଣା ଜାଣିଛନ୍ତି କି ? ସେ କହିଲେ , ହଁ ହଁ ମୁଁ ଜାଣିଛି ବାସ୍ ପହଞ୍ଚୁଛି । ଆଉ ଠିକ୍ ୧୫ ମିନିଟ୍ ପରେ ହିଁ ସେ ଜିମ୍ ବାହାରେ ଛିଡ଼ା ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦେଖି ଅଧିକ ପ୍ରୋଟିନ୍ ଦେବା ଠିକ୍ ନଥିଲା ତେଣୁ ଡାଏଟ୍ ଉପରେ ଧ୍ୟାନ ଦେବା ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା । ହନି ଭାଇଙ୍କର ପ୍ରଥମ ମିଲ୍ ସବୁଜ ପରିବାର ଜୁସ୍ ଥିଲା । ଯାହାକୁ ବିଟ୍ , ଅଁଳା , ଗାଜର , ଧନିଆକୁ ଗ୍ରାଇଣ୍ଡିଂ କରି ପ୍ରସ୍ତୁତ କରାଯାଉଥିଲା । ଦ୍ବିତୀୟ ମିଲରେ ସେ ସିଝା ଚିକେନ୍ ସହ ଭାତ ଖାଉଥିଲେ । ରାତ୍ରିଭୋଜନରେ ସବୁଜ ପରିବାର ସୁପ୍ କିମ୍ବା ସିଝା ଚିକେନ୍ ଖାଉଥିଲେ । ୱେଟଲସ୍ ଜର୍ଣ୍ଣିଂ ସମୟରେ ଟ୍ରେନରଙ୍କ ପରାମର୍ଶକୁ କେବେ ବି ଅଣଦେଖା କରୁନଥିଲେ ହନି ଭାଇ ।