ରିଲ୍ସ ନିଶାରେ କେନାଲରେ ପଶିଗଲେ ସ୍କର୍ପିଓ ସହ ୩ ଯୁବକ
ଆଜିକାଲିର ଯୁବପିଢିଙ୍କୁ ବାୟା କରିଛି ରିଲ୍ । ସ୍ଥାନ କାଳ ପାତ୍ର ସବୁ ଭୁଲିଯାଉଛନ୍ତି ରିଲ୍ କରିବା ଲାଗି । କିଏ କେତେ ରିଲ୍ କରିବ, କାହାର କେତେ କମେଣ୍ଟ ଆସିବ ସେନେଇ ଜୋରଦାର ଚର୍ଚ୍ଚା ବି ହେଉଛି । ଏହାରି ଭିତରେ ଗୁଜୁରାଟ୍ର ଅହମ୍ମଦାବାଦ୍ ସହରରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ରିଲ୍ କରୁଥିବା ସମୟରେ ସ୍କର୍ପିଓ ଗାଡ଼ି ନିୟନ୍ତ୍ରଣ ହରାଇ ବସିଥିଲା। ଆଉ ସେହି ଗାଡ଼ିରେ ଥିବା ୩ ଯୁବକ ଏବେ ନିଖୋଜ ଅଛନ୍ତି । କେନାଲରେ ଗାଡ଼ି ପଡ଼ିଥିବା ବେଳେ ଯୁବକମାନେ କୁଆଡ଼େ ଗଲେ ସେନେଇ ତଦନ୍ତ କରୁଛି ସ୍ଥାନୀୟ ପୋଲିସ୍ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସ୍କର୍ପିଓ ଗାଡ଼ିରେ ୩ ଜଣ ଯୁବକ ରିଲ୍ କରୁଥିଲେ । ଅତ୍ୟଧିକ ସ୍ପିଡ୍ ଥିବାରୁ ଗାଡିରୁ ନିୟନ୍ତ୍ରଣ ହରାଇ ବସିଥିଲେ ସେମାନେ ।ତେଣୁ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା କେନାରେ ପଶିଯାଇଥିଲେ । ପରେ ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ସାଙ୍ଗମାନେ ଦଉଡ଼ି ପକାଇଥିଲେ । ହେଲେ ସେଥିରେ ଅସଫଳ ହେଲେ । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ପରେ ଅଗ୍ନିଶମବାହିନୀ ଓ ପୋଲିସ କେନାଲ ଭିତରୁ ସ୍କର୍ପିଓ ଗାଡ଼ିକୁ ବାହାରକୁ ଆଣି ୩ ଯୁବକଙ୍କ ତଲାସୀ ଆରମ୍ଭ କରିଥିଲେ ।
ସେପଟେ ଟ୍ରାଫିକ୍ ପୋଲିସ କହିଛି, ସ୍କର୍ପିଓ ଗାଡ଼ିକୁ ଭଡ଼ାରେ ଆଣିଯାଇଥିଲା ରିଲ୍ କରିବା ଲାଗି । । ତାହା ପୁଣି ୩୫ ଶହ ଟଙ୍କାରେ । ତାହା ପୁଣି ମାତ୍ର ୪ ଘଂଟା ଲାଗି । ୩ ଯୁବକ ଗାଡ଼ି ନେଇ ପହଞ୍ଚିବା ପୂର୍ବରୁ ସେଠାରେ ୪ ସାଙ୍ଗ ଉପସ୍ଥିତ ଥିଲେ। ସେପଟେ ପୋଲିସ କହିଛି ଗାଡ଼ି ଚଳାଇବା ବେଳେ ରିଲ୍ କରାଯାଉଥିଲା । ଯେଉଁଥି ଲାଗି ଗାଡ଼ି ନିୟନ୍ତ୍ରଣ ବାହାରକୁ ପଳାଇଥିଲା । ଆଉ ସିଧା ଯାଇ ରାସ୍ତା ପାଖ କେନାଲରେ ପଶିଥିଲା । କେନାରେ ପାଣି ଅଧିକ ଥିବାରୁ ସମସ୍ତେ ଭାସିଯାଇପାରିଥାଆନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ବରଂ ୩ ଯୁବକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରଖାଯାଇଛି ।ଘଟଣା ଜଣାପଡ଼ିବା ପରେ ପୁରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । କେବଳ ଗୁଜୁରାଟ୍ରେ ଏହି ଘଟଣା ହେଲା ତାହା ନୁହେଁ ବରଂ ରିଲ୍ କରିବା ବେଳେ କେତେ ଯେ ଜୀବନ ଗଲାଣି ତାହାର ହିସାବ ନାହିଁ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେଉଁମାନେ କେନାଲରେ ଭାସିଯାଇଛନ୍ତି ସେମାନଙ୍କ ପରିବାର ଲୋକ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ଖବର ଲେଖାହେବା ସୁଦ୍ଧା ସେମାନେ ଜୀବିତ କି ମୃତ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।