ବନ୍ୟା ପାଇଁ ଘର ଛାଡ଼ିଲେ ୨୩ ହଜାର ଲୋକ
flood in odisha

ଭୁବନେଶ୍ୱର : ବନ୍ୟାରେ ରାଜ୍ୟର ୩୩ ବ୍ଳକର ୨୬୩ ଗ୍ରାମ ପ୍ରଭାବିତ ହୋଇଛି । ସେହିପରି ୨ ସହରାଞ୍ଚଳ ବି ପ୍ରଭାବିତ ହୋଇଛି । ୨୨ ହଜାର ୬୭୯ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ୫୫ଟି ରିଲିଫ୍ କେନ୍ଦ୍ର ହୋଇଛି । ବନ୍ୟା ପ୍ରଭାବରେ ୪୯୯ଟି ଘର ଭାଙ୍ଗିଯାଇଛି । ଅପରପକ୍ଷରେ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଉଥିବାବେଳେ ମୋଟ ଉପରେ ୩୭ଟି ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯାଇଛି ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବାବେଳେ ଏବେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସେହିପରି ଜଳକା ନଦୀ ବିପଦ ସଂକେତ ତଳେ ରହିଛି । ବନ୍ୟା ଯୋଗୁଁ ବାଲେଶ୍ୱରର ୫ ବ୍ଳକର ୧୪୧ ଗ୍ରାମ, ମୟୁରଭଞ୍ଜର ୨୨ ବ୍ଳକର ୧୦୧ ଗ୍ରାମ, କେନ୍ଦୁଝରର ୫ ବ୍ଳକର ୨୨ ଗ୍ରାମ ଓ ସୁନ୍ଦରଗଡ଼ର ଗୋଟିଏ ବ୍ଳକ ପ୍ରଭାବିତ ହୋଇଛି । ମୟୂରଭଞ୍ଜ ଓ ସୁନ୍ଦରଗଡ଼ର ଗୋଟିଏ ଲେଖାଏଁ ସହରାଞ୍ଚଳ ବି ପ୍ରଭାବିତ ହୋଇଥିବା କୁହାଯାଇଛି ।
ମୋଟ୍ ଉପରେ ୩୯୦୦୨ ଜଣ ପ୍ରଭାବିତ ହୋଇଥିବାବେଳେ ୨୨୬୭୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ପାଇଁ ୫୫ଟି ରିଲିଫ୍ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ବାଲେଶ୍ୱରରେ ୧୩୦, ମୟୂରଭଞ୍ଜରେ ୩୩୪, କେନ୍ଦୁଝରରେ ୩୫ଟି ଘର ଭାଙ୍ଗିଥିବା ନେଇ ଜିଲ୍ଲାପାଳମାନେ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛନ୍ତି ।
ଅପରପକ୍ଷରେ ବନ୍ୟା କ୍ଷୟକ୍ଷତିର ମୁକାବିଲା ପାଇଁ ବାଲେଶ୍ୱରରେ ୬ ଓଡ୍ରାଫ ବାହିନୀ, ୧ ଏନଡ଼ିଆରଫ ବାହିନୀ ଓ ୧୪ ଅଗ୍ନିଶମ ଟିମ୍କୁ ମୁତୟନ କରାଯାଇଛି । ଯେତେବେଳେକି ମୟୂରଭଞ୍ଜରେ ୩ ଓଡ୍ରାଫ, ୧୨ ଅଗ୍ନିଶମ ଟିମ୍ ଏବଂ ଭଦ୍ରକରେ ଗୋଟିଏ ଏନଡ଼ିଆରଏଫ ଟିମ୍ ମୁତୟନ ହୋଇଛନ୍ତି ।