ମୁଖ୍ୟମନ୍ତ୍ରୀଙ୍କ ଦ୍ୱାଦଶ ପାଳି ଅଭିଯୋଗ ଶୁଣାଣି : ୯୩% ଅଭିଯୋଗର ସମାଧାନ
ଭୁବନେଶ୍ୱର : ସମାଜର ଶେଷ ଧାଡିରେ ଥିବା ଲୋକମାନେ ଯେପରି ନିଜକୁ କେବେ ଅସହାୟ ନଭାବନ୍ତି ଏବଂ ସାଧାରଣ ଲୋକଟିଏ ଯେପରି ଅନୁଭବ କରିବଯେ, ସରକାର ସୁଖଦୁଃଖରେ ତା’ସହିତ ସବୁବେଳେ ଅଛନ୍ତି, ଏହି ମହତ ଉଦେ୍ଦଶ୍ୟ ରଖି ଲୋକଙ୍କ ସରକାର କ୍ରମାଗତ ଭାବେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱାଦଶ ପାଳି । ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି । ଆଜି ପଞ୍ଜିକୃତ କରିଥିବା ୧ ହଜାର ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୭ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।
ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପ୍ରଥମେ ଅଭିଯୋଗ ପ୍ରକୋଷ୍ଠରେ ପହଁଚି ଭିନ୍ନକ୍ଷମ ଲୋକମାନଙ୍କ ପାଖକୁ ଯାଇଥିଲେ । ସେଠାରେ ଜଣ ଜଣ କରି ସମସ୍ତଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ । ପରେ ପ୍ରକୋଷ୍ଠ ଭିତରକୁ ଆସି ପଞ୍ଜିକୃତ କରିଥିବା ଅନ୍ୟ ଅଭିଯୋଗକାରୀମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ସମସ୍ତ ଅଭିଯୋଗଗୁଡିକର ପ୍ରତିବିଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥାରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିସôା ସହାୟତା ଯୋଗାଇ ଦିଆଯାଉଛି । ଆଜି ଏହି ବ୍ୟବସ୍ଥାରେ ଚିକିସôା ଖର୍ଚ୍ଚ ବାବଦକୁ ୧୦ ଜଣଙ୍କ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ । ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ୪୮ ଜଣଙ୍କୁ ୫୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଏକାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୮୯୪ଟି ଅଭିଯୋଗ ମଧ୍ୟରୁ ୧୦,୧୩୨ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୩ ପ୍ରତିଶତ ଅଟେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାଶ ଏବଂ ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।