ଗରିବ ପିଲାଙ୍କୁ ମାଗଣାରେ କମ୍ପିଟେଟିଭ୍ କୋଚିଂ : ସାଂସଦ

 ଭୁବନେଶ୍ୱର  : ଏଣିକି ଅର୍ଥାଭାବରୁ କୌଣସି ମେଧାବୀ ପିଲା ଉଚ୍ଚ ଶିକ୍ଷା ଏବଂ ବିଭିନ୍ନ ପ୍ରକାରର ସରକାରୀ କିମ୍ବା ବେସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେବେ ନାହିଁ । ରେଲୱେ, ବ୍ୟାଙ୍କିଂ ଭଳି କମ୍ପିଟିଟିଭ୍ ପରୀକ୍ଷା ଲାଗି ଅଧିକ ଟଙ୍କା ଖର୍ଚ୍ଚ କରି କେଉଁ ବେସରକାରୀ କୋଚିଂ ସେଣ୍ଟଟରକୁ ବି ଯିବାକୁ ପଡ଼ିବନି । ନିଜ ଅଞ୍ଚଳର ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ସାମୁହିକ ପାଠାଗାର ଏବଂ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  । ଗରିବ ପିଲାଙ୍କ ଲାଗି ଏଭଳି ସାମୁହିକ ଲାଇବ୍ରେରି କମ୍ କୋଚିଂ ସେଣ୍ଟର ନିର୍ମାଣ ଚିନ୍ତାଧାରାଟି ଦେଶରେ ପ୍ରଥମ ବୋଲି କହିଛନ୍ତି ସାଂସଦ   । ୧୭୫୦ ବର୍ଗଫୁଟର ଏହି ଲାଇବ୍ରେରି କମ୍ କୋଚିଂ ସେଣ୍ଟର ନିର୍ମାଣ ଲାଗି ମୋଟ୍ ୫୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି   । ଯେଉଁଥିରୁ ୩୦ ଲକ୍ଷ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରାଯିବାକୁ ଥିବା ବେଳେ ବାକି ୨୩ ଲକ୍ଷ ପ୍ରଦାନ କରିବେ ପଞ୍ଚମ ରାଜ୍ୟ ଅର୍ଥ କମିଶନ, ଏମ୍ଜିଏନ୍ଆର୍ଜିଏ, ଜିଲ୍ଲା ଖଣିଜ ପାଣ୍ଠି ଓ ଏସ୍ବିଏମ୍   । ଯେଉଁଥିରେ ଏସି ହଲ୍, ପାଠାଗାର, କୋଚିଂ ହଲ୍, ରିଡିଂ ରୁମ୍, ଅତ୍ୟାଧୁନିକ ଟଏଲେଟ୍, ଲାଉଞ୍ଜ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ମାନ ରହିବ  । ବର୍ଷେ ଭିତରେ ଏହାର କାର୍ଯ୍ୟ ସମାପନ ଲାଗି ସମୟ ଧାର୍ଯ୍ୟ କରାଯାଇଥିବାବେଳେ, ନିର୍ମାଣ କାର୍ଯ୍ୟ ସରିଲେ ଅଭିଜ୍ଞ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ସ୍ଥାନୀୟ ମେଧାବୀ ତଥା ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କୁ ରେଲଓ୍ୱେ, ବ୍ୟାଙ୍କିଂ ଭଳି ବିଭିନ୍ନ ପ୍ରକାରର କମ୍ପିଟିଟିଭ୍ ପରୀକ୍ଷା ଲାଗି ମାଗଣାରେ କୋଚିଂ ବା ପ୍ରଶିକ୍ଷଣ ପ୍ରଦାନ କରାଯିବ  । ଏମିତିକି କାର୍ଯ୍ୟ ସମାପନ ସରିଲେ କୌଣସି ଏକ ଅଗ୍ରଣୀ ଅନୁଷ୍ଠାନ ସହ ଚୁକ୍ତିନାମା କରି ପିଲାମାନଙ୍କୁ କୋଚିଂ ପ୍ରଦାନ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା   । ପାଠାଗାର କମ୍ କୋଚିଂ ସେଣ୍ଟରରେ ପିଲାଙ୍କ ପଢ଼ିବା ଲାଗି ସମସ୍ତ ପ୍ରକାରର ବହି ମିଳୁଛି କି ନାହିଁ, ପ୍ରଶିକ୍ଷଣରେ କଣ ତ୍ରୁଟି ରହୁଛି ତାହାକୁ ବ୍ୟକ୍ତିଗତଭାବେ ତଦାରଖ କରିବା ସହ ସମୟ ସମୟରେ ନିଜେ ମଧ୍ୟ ପିଲାମାନଙ୍କୁ ପ୍ରଶିକ୍ଷଣ  ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା  । ଅନେକ ପିଲା ରହିଛନ୍ତି, ଯେଉଁମାନଙ୍କ ପାଖରେ ପାଠ ପଢ଼ିବା ଲାଗି ଭଲ ବହି ଖଣ୍ଡିଏ ନାହିଁ  କି ଆର୍ଥିକ ସମ୍ୱଳ ମଧ୍ୟ ନାହିଁ   । ଯାହାଫଳରେ ବିଭିନ୍ନ ସମୟରେ ଭଲ ଚାକିରୀଟିଏ ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ମେଧାବୀ   । ଯେତେବେଳେ ମୁଁ ମଧ୍ୟ ଆଇଏଏସ୍ ପାଇଥିଲି, ସେତେବେଳେ ଏସବୁ ମୋତେ ବହୁତ ବ୍ୟଥିତ କରିଥିଲା । ଆଉ ସେତେବେଳଠୁ ଏଭଳି ଏକ ଚିନ୍ତାଧାରା ମୋ ମସ୍ତିଷ୍କରେ ପ୍ରବେଶ କରିଥିଲା   । ଯାହାକି ଆଜି ବାସ୍ତବ ରୂପ ନେବାକୁ ଯାଉଛି  ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ   ।