ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ଦାବି : ଶାହଙ୍କୁ ଭେଟିଲେ ପ୍ରଦୀପ

ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଗାନ୍ଧମାର୍ଦ୍ଧନ ପର୍ବତ ବୁଲିବାକୁ ନିମନ୍ତ୍ରଣ କଲେ ପ୍ରଦୀପ । ତତ୍କାଳୀନ ସରକାର ଏହାକୁ ୪୭ ବର୍ଷ ପାଇଁ ବାଲକୋ କମ୍ପାନୀକୁ ଲିଜରେ ଦେଇଦେଇଥିଲେ । ଖନନ କାରଣରୁ ପରିବେଶ ଉପରେ ପ୍ରଭାବ ପଡିଥିଲା । ସାଂସ୍କୃତିକ, ଧାର୍ମିକ ଏବଂ ପୌରାଣିକ ଭାବାବେଗକୁ ଆଘାତ ଦେଇଥିଲା ବୋଲି କହିଛନ୍ତି ସାଂସଦ ।
ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ । ଅମିତ ଶାହଙ୍କୁ ଭେଟି ସେ ବରଗଡ ନିର୍ବାଚନୀ ମଣ୍ଡଳୀର ବିକାଶ ବିଷୟରେ ଆଲୋଚନା କରିଛନ୍ତି । ୨୦୧୪ ରୁ ୨୦୧୯ ପର୍ୟ୍ୟନ୍ତ ପଦମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଥିଲେ ପ୍ରଦୀପ ପୁରୋହିତ । ନିକଟରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତମାଳାର ଐତିହାସିକ, ସାଂସ୍କୃତିକ, ଧାର୍ମିକ ଏବଂ ପ୍ରାକୃତିକ ଦୃଷ୍ଟିକୋଣରୁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବଖାଣିଛନ୍ତି ସାଂସଦ । ଏହି ପର୍ବତମାଳାରେ ଅନେକ ପ୍ରାଚୀନ ମନ୍ଦିର ଅଛି, ଯେଉଁଥିମଧ୍ୟରୁ ନୃସିଂହନାଥ ଏବଂ ହରିଶଙ୍କର ମନ୍ଦିର ପ୍ରମୁଖ। ବିଶେଷ ଅବସରରେ ହଜାର ହଜାର ଭକ୍ତ ଏହି ମନ୍ଦିରଗୁଡ଼ିକୁ ଦର୍ଶନ ପାଇଁ ଆସନ୍ତି । ପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହିଉଏନ୍ ସାଙ୍ଗ ତାଙ୍କ ପୁସ୍ତକ "ସି-ୟୁ-କି" ରେ ଏହି ଅଞ୍ଚଳ ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଗନ୍ଧମାର୍ଦନ ପର୍ବତମାଳାରେ ଏକ ବୌଦ୍ଧ ମଠ ଥିଲା ଯେଉଁଠାରେ ବୌଦ୍ଧ ଦାର୍ଶନିକ ନାଗାର୍ଜୁନ ଉପ-କୁଳପତି ଥିଲେ।
ତେବେ ଏହି ଅଞ୍ଚଳ ବକ୍ସାଇଟ୍, ଚୂନପଥର, ଲୁହାପଥର ଏବଂ ଗ୍ରାନାଇଟ୍ ଇତ୍ୟାଦି ଖଣିଜ ସମ୍ପଦରେ ଭରପୁର । ତତ୍କାଳୀନ କଂଗ୍ରେସ ସରକାର ଏହି ଅଞ୍ଚଳର ଖଣିଜ ସମ୍ପଦକୁ ୪୭ ବର୍ଷ ପାଇଁ ବାଲ୍କୋ କମ୍ପାନୀକୁ ଲିଜ୍ ଦେଇଥିଲେ । ଖଣି କାର୍ୟ୍ୟକଳାପ ପରିବେଶ ଉପରେ ପ୍ରଭାବ ପକାଇଛି ଏବଂ ସାଂସ୍କୃତିକ, ଧାର୍ମିକ ଏବଂ ପୌରାଣିକ ଭାବନାକୁ ବି ଆଘାତ ଦେଇଛି । ଏହା ବିରୁଦ୍ଧରେ କିଭଳି ସଂଗ୍ରାମ ଚାଲିଛି ତାହା ଗୃହମନ୍ତ୍ରୀଙ୍କୁ କହିଛନ୍ତି ସାଂସଦ । ଗନ୍ଧମାର୍ଦ୍ଦନ ପର୍ବତମାଳାର ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ୟ୍ୟ ଏବଂ ଧାର୍ମିକ, ପୌରାଣିକ ଏବଂ ଐତିହାସିକ ଗୁରୁତ୍ୱ ପରିପୂର୍ଣ୍ଣ । ଏଣୁ ଏହି ଅଞ୍ଚଳକୁ ଗସ୍ତ କରିବାକୁ ଅମିତ ଶାହଙ୍କୁ ନିବେଦନ କରିଛନ୍ତି ସାଂସଦ । ଏହାଦ୍ୱାରା ଏହି ଅଞ୍ଚଳ ଗୁରୁତ୍ୱ ବୃଦ୍ଧି ପାଇବ ବୋଲି କହିଛନ୍ତି ସାଂସଦ ।