ଗିନିଜ୍ ୱାର୍ଲଡ୍ ରେକର୍ଡରେ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା(ପିପିସି) -୨୦୨୫ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ପାଇଁ ଗିନିଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ସହିତ ଆନୁଷ୍ଠାନିକ ଭାବରେ ‘ପରୀକ୍ଷା ପେ ଆଲୋଚନା' ପାଇଁ ଗିନିଜ୍ ୱାର୍ଲଡ୍ ରେକର୍ଡର ଏକ ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।
ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିବା ସହ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଗିନିଜ୍ ୱାର୍ଲଡ୍ ରେକର୍ଡ ଗ୍ରହଣ କରିବା ମୋ ପାଇଁ ଆନନ୍ଦ ଏବଂ ଆତ୍ମସନ୍ତୋଷର ବିଷୟ । ୩ କୋଟି ୫୩ ଲକ୍ଷରୁ ଅଧିକ ପଞ୍ଜୀକରଣ ଏବଂ ଟେଲିଭିଜନରେ ୨୧ କୋଟିରୁ ଅଧିକ ଦର୍ଶକମାନେ ଏହାର ପ୍ରସାରଣ ଦେଖିଛନ୍ତି, ଯାହା ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା -୨୦୨୫କୁ ଏକ ବିଶ୍ୱ ରେକର୍ଡର ସ୍ଥାନ ଦେଇଛି । ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଇଁ ଶ୍ରୀ ପ୍ରଧାନ ଦେଶର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍କୁଲଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ଆମର ଏଗଜାମ ୱାରିୟର୍ସ ତଥା ପରୀକ୍ଷା ଯୋଦ୍ଧା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ପ୍ରତୀକ୍ଷିତ ଆଲୋଚନା କାର୍ଯ୍ୟକ୍ରମ ହେଉଛି ‘ପରୀକ୍ଷା ପେ ଆଲୋଚନା' । ଚାପମୁକ୍ତ ଏବଂ ଆନନ୍ଦଦାୟକ ଶିକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଏକ ଦେଶବ୍ୟାପୀ ମହୋସôବରେ ପରିଣତ ହୋଇଛି ।
ଶିକ୍ଷା ପ୍ରତି ଏପରି ଏକ ସାମଗ୍ରିକ ଏବଂ ଉସôବମୁଖୀ ଦୃଷ୍ଟିକୋଣର କଳ୍ପନା କରିବା, ପରୀକ୍ଷା ସମ୍ବନ୍ଧୀୟ ଚାପ ହ୍ରାସ କରିବା, ଛାତ୍ରଛାତ୍ରୀଙ୍କ କଲ୍ୟାଣ ଓ ବ୍ୟକ୍ତିଗତ ଅଭିବୃଦ୍ଧିକୁ ଆଗେଇ ନେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶିକ୍ଷାଗତ ଚାପ ହ୍ରାସ କରିବା ଏବଂ ଜୀବନକୁ ଗଠନ କରିବାରେ ସହାୟକ ହୋଇଥିବା ପରୀକ୍ଷା ପେ ଚର୍ଚ୍ଚାର ସକାରାତ୍ମକ ପ୍ରଭାବକୁ ସମ୍ମତି ଜଣାଇଥିବାରୁ ଶ୍ରୀ ପ୍ରଧାନ ଗିନିଜ୍ ୱାର୍ଲଡ ରେକର୍ଡର ଟିମକୁ ଧନ୍ୟବାଦ ଜଣାଇଛନ୍ତି । ‘ପରୀକ୍ଷା ପେ ଚର୍ଚ୍ଚା’ ଜାତୀୟ ଶିକ୍ଷା ନୀତି ୨୦୨୦ର ମୂଳ କଥାକୁ କାର୍ଯ୍ୟକାରୀ କରିବା ସହ ବ୍ୟାପକ କରିବାରେ ସାହାଯ୍ୟ କରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ କ୍ୟାବିନେଟ ମନ୍ତ୍ରୀ ଭାବରେ ମୋର କାର୍ଯ୍ୟକାଳ ମଧ୍ୟରେ ଏହା ମୋର ଦ୍ୱିତୀୟ ସ୍ୱୀକୃତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଲପିଜି ପାଇଁ ବିଶ୍ୱର ସର୍ବବୃହତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ‘ପହଲ’ ପାଇଁ ଗିନିଜ୍ ୱାର୍ଲଡ୍ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରିବା ମୋର ସ୍ପଷ୍ଟ ମନେହେଉଛି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ପଦକ୍ଷେପ ପରୀକ୍ଷା ପେ ଚର୍ଚ୍ଚା ୨୦୧୮ ପରଠାରୁ ମାଇଗଭ୍ ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସଫଳତାର ସହିତ ଆୟୋଜନ ହୋଇଆସୁଛି ।