ଲକ୍ଷେ ଟପିଲା ସୁନା ରେଟ୍ : କେବେ କମିବ ସୁନା ଦର?

ଲକ୍ଷେ ଟପିଲା ସୁନା ରେଟ୍  : କେବେ କମିବ ସୁନା ଦର?

ବଜାରରେ ହୁ ହୁ ହୋଇ ବଢ଼ିଚାଲିଛି ସୁନା ଦର । ଭୁବନେଶ୍ବର ବଜାରରେ ଆଜି ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗାମ୍‌ ପିଛା ୧ ଲକ୍ଷ ଟଙ୍କା ଟପି ୧, ୦୧,୧୦୦ ଟଙ୍କାରେ ପହଞ୍ଚିଛି । ସୋମବାର ତୁଳନାରେ ସୁନା ଦରରେ ୧୨୫୦ ଟଙ୍କା ବୃଦ୍ଧି ଘଟିଛି । ୨୨ କ୍ୟାରେଟ୍‌ ସୁନାରେ ସାଧାରଣତଃ ଗହଣା ନିର୍ମାଣ ହୋଇଥାଏ । ବର୍ଦ୍ଧିତ ଦର ସହିତ ଗଢ଼ା ମୂଲ୍ୟ ଏବଂ ଜିଏସ୍‌ଟିକୁ ମିଶାଇଲେ ଗହଣା ପାଇଁ ଗ୍ରାହକଙ୍କୁ ସୁନା କିଣିବା ବହୁ ମହଙ୍ଗା ହୋଇଯାଇଛି ।  ଚଳିତମାସ ଗତ ୪ ତାରିଖରେ ୨୨ କ୍ୟାରେଟ୍‌ ସୁନା ଦର ଭୁବନେଶ୍ବର ବଜାରରେ ୧୦ ଗ୍ରାମ୍‌ ପିଛା ୧୦୦ ଟଙ୍କାର ସାମାନ୍ୟ ହ୍ରାସ ଘଟିଥିଲା। ଏହାକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ସୁନା ଦର ବଢ଼ିଛି । ଏଥିଯୋଗୁ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ଭୁବନେଶ୍ବରରେ ପ୍ରାୟ ୫୦୦୦ ଟଙ୍କା ମହଙ୍ଗା ହୋଇଯାଇଛି । ସେହିଭଳି ଭୁବନେଶ୍ବର ବଜାରରେ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୩୬୦ ଟଙ୍କା ବୃଦ୍ଧି ଘଟି ରେକର୍ଡ ୧,୦୮,୯୩୦ ଟଙ୍କାରେ ପହଞ୍ଚିଛି  । ପ୍ରତିଶତ ହିସାବରେ ଦେଖିଲେ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ୪.୧୭ ପ୍ରତିଶତ ବଢ଼ିଛି । ବଜାରରେ ରୁପା ଦର ମଧ୍ୟ ବଢ଼ିବାରେ ଲାଗିଛି  ।

ଗତକାଲି ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ରୁପା ଦର ୨୦୦୦ ଟଙ୍କା ବୃଦ୍ଧି ଘଟି ରେ‌କର୍ଡ ୧,୪୦,୦୦୦ ଟଙ୍କା ଛୁଇଁଛି। ମଙ୍ଗଳବାର ରୁପା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ରୁଷ୍‌-ୟୁକ୍ରେନ ଯୁଦ୍ଧ, ବିଶ୍ବ ବାଣିଜ୍ୟରେ ଟ୍ରମ୍ପଙ୍କ ଶୁଳ୍କ ପ୍ରଭାବ ଓ ଅନ୍ୟାନ୍ୟ ଅନିଶ୍ଚିତତା କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଉଛି । ସୁନାରେ ନିବେଶକୁ ନିବେଶକମାନେ ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଫଳରେ ବଜାରରେ ସୁନା ଚାହିଦା ବୃଦ୍ଧି ପାଉଛି ।