ମହାନଦୀରେ ନିର୍ମାଣ ହେବ ୧୬ ଡ୍ୟାମ୍‌, ୧୫ ବ୍ୟାରେଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,: ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ମହାନଦୀରେ ଆଉ ୧୬ ଡ୍ୟାମ୍‌ ଏବଂ ୧୫ ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ହେବ। ଏଥିସହ ମହାନଦୀରେ ୪୧ଟି ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଗୁରୁବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ଅବବାହିକାର ଉପରମୁଣ୍ଡରେ ଛତିଶଗଡ଼ ସରକାର ବହୁ ଅଣଯୋଜନାବଦ୍ଧ ପ୍ରକଳ୍ପ ମାଧ୍ୟମରେ ଅତ୍ୟଧିକ ନଦୀଜଳ ବ୍ୟବହାର କରୁଥିବାରୁ ଓଡ଼ିଶାର ତଳମୁଣ୍ଡକୁ ଜଳ ପ୍ରବାହ କ୍ରମଶଃ ହ୍ରାସ ପାଉଛି।
ଆନ୍ତଃରାଜ୍ୟ ସୀମାନ୍ତରେ ଅବସ୍ଥିତ ହୀରାକୁଦ ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ଖସିବାରେ ଲାଗିଛି, ଯାହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ଏହି ମହାନଦୀ ଜଳ ବିବାଦ ପାଇଁ ଓଡ଼ିଶା ଟ୍ରିବ୍ୟୁନାଲର ଆଶ୍ରୟ ନେଇ ବହୁ ଆବେଦନ ମାଧ୍ୟମରେ ନିଜ ଦାବି ରଖି ଆସୁଛି। ଏହି ମାମଲା ବର୍ତ୍ତମାନ ବିଚାରାଧୀନ ଥିବାରୁ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ମହାନଦୀ ଜଳର ସମାନତା ସହିତ ସ୍ଥାୟୀ ଜଳ ବିକାଶକୁ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।