ଭୂତକୋଠି ପାଲଟିଛି ସରକାରୀ କୋଠା
ନୂଆପଡାରୁ ପରମେଶ୍ୱର ବାରିକ : ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ନିର୍ମାଣ ହୋଇଛି କୋଠାଘର । କିନ୍ତୁ ପ୍ରଶାସନିକ ଉଦାସୀନତା ଯୋଗୁଁ କାର୍ଯ୍ୟକୁ ଆସି ପାରୁନି । କୋଟି କୋଟି ଟଙ୍କାର କୋଠାଘର ଭୂତକୋଠି ପାଲଟିଛି । ଖଡ଼ିଆଳ ଏନ୍ଏସି ଅନ୍ତର୍ଗତ ବିଜେପୁର ଗ୍ରାମ ଗାନ୍ଧୀନଗର ସାହିରେ ଜନସ୍ୱାସ୍ଥ୍ୟ ବିଭାଗର ବିଲ୍ଡିଂ ଗୃହ ଠାରୁ ନେଇ ଆୟୁର୍ବେଦିକ ଡାକ୍ତରଖାନା ସହ ମିଶନ ଶକ୍ତି ବିଲ୍ଡିଂ ଗୃହ ନିର୍ମାଣ ହୋଇଛି । କିନ୍ତୁ ବିଲ୍ଡିଂ ଗୃହର କୌଣସି କାର୍ଯ୍ୟକାରୀ ହେଉନଥିବାରୁ ସବୁ ସରକାରୀ ବିଲ୍ଡିଂ ଗୁଡିକ ଏକ ପ୍ରକାର ଭୂତକୋଠିରେ ପରିଣତ ହେବାକୁ ଯାଉଛି । କୋଟି କୋଟି ଟଙ୍କା ମଞ୍ଜୁର ହୋଇ ଜନସ୍ୱାସ୍ଥ୍ୟ ବିଭାଗର ମେଗା ପ୍ରୋଜେକ୍ଟରେ ମୁଖ୍ୟ କାର୍ଯ୍ୟାଳୟ ୨୦୧୯ ମସିହାରେ ଗାନ୍ଧିନଗର ସାହିରେ ନିର୍ମାଣ କାମ ଆରମ୍ଭ ହୋଇଥିଲା । ମେଗା ପ୍ରୋଜେକ୍ଟ କାର୍ଯ୍ୟଳୟର ଅଫିସ କାର୍ଯ୍ୟାଳୟ ସହ ସି-ଟାଇପ ଡି-ଟାଇପ ଓ ଇ-ଟାଇପ ମିଶି ମୋଟ ଏକ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ପାଞ୍ଚ ଗୋଟି ବିଲ୍ଡିଂ ନିର୍ମାଣ ହୋଇ ଗତ ୨୦୨୦ ମସିହାରେ ସମାପନ ହୋଇଥିଲା । କିନ୍ତୁ ନିର୍ମାଣର ପାଞ୍ଚ ବର୍ଷ ବିତିଗଲାଣି ହେଲେ ଏହାର ଉଦ୍ଘାଟନ ଏଯାଏ ହୋଇ ପାରିନାହିଁ । ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟଟି ନୂଆପଡା ଜନ ସ୍ୱାସ୍ଥ୍ୟ ବିଭାଗରେ ବିଲୀନ ହୋଇଯିବାରୁ ମେଗା ପ୍ରୋଜେକ୍ଟ ବିଲ୍ଡିଂର କୌଣସି କାର୍ଯ୍ୟକାରୀ ହୋଇ ପାରୁନଥିବାର ଜଣାପଡିଛି । ଏହି ମେଗା ପ୍ରୋଜେକ୍ଟ ଅଫିସରେ ଖଡିଆଳ ବ୍ଲକ କାର୍ଯ୍ୟାଳୟ ଓ ପରବର୍ତ୍ତୀ ସମୟରେ ଏନ୍ଏସି କାର୍ଯ୍ୟାଳୟ ପରିଚାଳନା ପାଇଁ ସ୍ଥିର ହୋଇଥିଲା । ହେଲେ କିଛି ଅସାଧୁ ନେତା ତଥା ଲୋକଙ୍କ ଅସହଯୋଗ ମନୋଭାବ ଯୋଗୁଁ କୌଣସି ସରକାରୀ ଅଫିସ ପରିଚାଳିତ ହୋଇ ପାରିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପଡାରେ ଥିବା ସମସ୍ତ ଗୃହ ଗୁଡିକ କାର୍ଯ୍ୟ କାରୀ ନ ହେଲେ ଆଗାମୀ ଦିନରେ ପଡ଼ାବାସୀ ଆନେ୍ଦାଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତବନୀ ଦେଇଛନ୍ତି । କେବଳ ଆରଡବ୍ଲୁଏସଏସ୍ର ପ୍ରୋଜେକ୍ଟ ଅଫିସ ନୁହେଁ ଗାନ୍ଧୀ ନଗର ସାହିରେ ଏକ ସରକାରୀ ଆୟୁବେର୍ଦିକ ହସ୍ପିଟାଲ ଅଛି, ହେଲେ ତାର ବିଲ୍ଡିଂ ଗୃହ ଅଭାବରୁ ହସ୍ପିଟାଲଟି ମୁମୂର୍ଷୁ ଅବସ୍ଥାରେ ଚାଲିଛି । ସେହିଭଳି ଗ୍ରାମରେ ଥିବା ମିଶନ ଶକ୍ତି ବିଲ୍ଡିଂ ଗୃହ କାମ ଶେଷ ହୋଇଛି ହେଲେ ତାହା ମଧ୍ୟ ପରିଚାଳନା ହୋଇ ପାରୁନାହିଁ । ଯାହାଫଳରେ ଘରଗୁଡିକ ସବୁ ଅସାମାଜିକ ଲୋକଙ୍କ ଚରାଭୁଇଁ ପାଲଟି ଯାଇଛି । ଦିନ ରାତ୍ରି ସରକାରୀ ବିଲ୍ଡିଂ ଉପରେ ଅସାମାଜିକ ଯୁବକମାନେ ମଦ ସେବନ କରୁଥିବା ଅଭିଯୋଗ ହେଉଛି । ନିର୍ମାଣ ହୋଇଥିବା ସରକାରୀ ଘର ମାନଙ୍କରେ ଯେକୌଣସି ସରକାରୀ ଅଫିସ ପରିଚାଳନା ପାଇଁ ସ୍ଥାନୀୟ ସାହିବାସୀ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ହେଁ ଅସହଯୋଗ ମନୋଭାବ ଏକ ବଡ କାରଣ ବୋଲି ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି । ଏ ନେଇ ନୂଆପଡା ଜିଲ୍ଲାପାଳ ପଚାରିବାରୁ ଏହାର ତଦନ୍ତ କରି ଜନସାଧାରଣଙ୍କ କାର୍ଯ୍ୟକୁ ଆସିବା ପରି ସୁବିଧା କରାଯିବ ବୋଲି କହିଛନ୍ତି ।