ମରଣଯନ୍ତା ସିକେରକୁପା-ଜାମପଦର ରାସ୍ତା


ଭବାନୀପାଟଣାରୁ ଶୁଭେନ ପଟ୍ଟନାୟକ :  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ଲାଞ୍ଜିଗଡ଼ ବ୍ଲକ୍ର ସିକେରକୁପା ଛକଠାରୁ ଜାମପଦର ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ଏବେ ମରଣଯନ୍ତା ପାଲଟିଛି  । ଲାଞ୍ଜିଗଡରୋଡ଼, କଦମଗୁଡା, ଗୋବର୍ଦ୍ଧନପୁର, ଭୁର୍ତ୍ତିଗଡ ଓ କାମର୍ଦ୍ଧା ପଞ୍ଚାୟତର ଶତାଧିକ ଗାଁ ଲୋକେ ବ୍ଲକ୍ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସିବାକୁ ହେଲେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହା ବ୍ୟତୀତ ବ୍ଲକର ୨୧ ଗୋଟି ପଞ୍ଚାୟତର ଲୋକେ ନର୍ଲା ରେଳ ଷ୍ଟେସନ ଓ ମ.ରାମପୁର ତହସିଲ କାର୍ଯ୍ୟାଳୟକୁ ଏହି ରାସ୍ତା ଦେଇ ଯିବାକୁ ପଡୁଛି । ହେଲେ ଏବେ ଏହି ରାସ୍ତା ଖାଲଖମାରେ ପରିଣତ ହୋଇଛି । ଯାହାଫଳରେ ଲୋକମାନଙ୍କ ଯାତାୟତ କରିବାରେ ସମସ୍ୟା ଦେଖାଦେଉଛି ।ଏହା ବ୍ୟତୀତ ବର୍ଷା ଦିନରେ ଖାଲଖମାରେ ଭର୍ତ୍ତି ଆବର୍ଜନା ପାଣି ଛିଟୁକୁ ଥିବା ବେଳେ ଲାଞ୍ଜିଗଡରୋଡ଼ କଲେଜକୁ ଯାଉଥିବା ଆସିବା ପାଇଁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ରାସ୍ତାଟି ସଙ୍କୁଚିତ ହୋଇ ରହିଥିବା ବେଳେ ରାସ୍ତା ମଝିରେ ବଡ଼ ବଡ଼ ଗର୍ତ୍ତ ଯୋଗୁଁ ଯାତାୟାତରେ ସମସ୍ୟା ଦେଖା ଦେଇଛି । ପୂର୍ତ୍ତବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୈାଣସି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ତା ସହିତ ଏହି ରାସ୍ତା ବର୍ଷ ବର୍ଷ ଧରି ମରାମତି ବି କରାଯାଉନାହିଁ ।ପ୍ରାପ୍ତ ସୂଚନା ମତେ  ଏହି ରାସ୍ତା ପାଇଁ ଗତ ବର୍ଷ ଟେଣ୍ଡର ସରିଥିବା ବେଳେ ଦୁଇଜଣ ଠିକାଦାରଙ୍କର ମଧ୍ୟରେ କୈାଣସି କାରଣରୁ ଗଣ୍ଡଗୋଳ ଯୋଗୁଁ  ରାସ୍ତା କାମ ହୋଇପାରୁନାହିଁ ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ଏହି ରାସ୍ତା ପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି । ଯଦି ରାସ୍ତା କାମ ନ ହୁଏ ତା ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।