ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ୍ରେ ସଂଶୋଧନ କରିଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ନୂତନ ବ୍ୟବସ୍ଥା ଆଧାରରେ ଏଣିକି ୨୪ ଘଣ୍ଟା ଖୋଲିପାରିବ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ। ତ୍ରୈମାସିକ ଓଭର ଟାଇମ୍ ୧୪୪ ଘଣ୍ଟାକୁ ବୃଦ୍ଧି କରାଯାଇଥିବାବେଳେ ସପ୍ତାହକୁ ୪୮ ଘଣ୍ଟା କାମ କଲେ ଓଭରଟାଇମ୍ ବାବଦରେ ଦୁଇଗୁଣା ମଜୁରୀ ମିଳିବ । ଏହାଛଡ଼ା ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି ।
ରାଜ୍ୟରେ ଶିଳ୍ପ ଓ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ଏବଂ ଅଧିକ ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି କରିବା ଦ୍ଭ ପାଇଁ କ୍ୟାବିନେଟ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ରେ ଓ କାରଖାନା ଆଇନ, ୧୯୪୮ରେ ସଂଶୋଧନ ପ୍ରସ୍ତାବଗୁଡିକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦ କିମ୍ୱା ତଦୁର୍ଦ୍ଧ୍ୱ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ନିର୍ବିଶେଷରେ ଓଡିଆ ସାଇନ ବୋର୍ଡ ପ୍ରଦର୍ଶନ କରିବାକୁ ପଡିବ। ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରାଯାଇଛି । କର୍ମଚାରୀଙ୍କ କାର୍ଯ୍ୟ ସମୟ ଅତି କମରେ ଅଧଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ ଘଣ୍ଟାରୁ ଅଧିକ ହେବନାହିଁ । ତ୍ରୈମାସିକ ଓଭର ଟାଇମ କାର୍ଯ୍ୟସୀମା ୧୪୪ ଘଣ୍ଟାକୁ ବୃଦ୍ଧି କରାଯାଇଛି । କୌଣସି ପ୍ରତିଷ୍ଠାନରେ କର୍ମଚାରୀ କୌଣସି ଦିନ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିଲେ, ସେ ଏପରି ଓଭରଟାଇମ କାର୍ଯ୍ୟ ବାବଦକୁ ସାଧାରଣ ମଜୁରି ହାରର ଦ୍ୱିଗୁଣିତ ମଜୁରି ପାଇବାକୁ ହକଦାର ହେବେ। ପ୍ରତିଷ୍ଠାନଗୁଡିକ ଦିନରାତି ୨୪ ଘଣ୍ଟା ଏବଂ ବର୍ଷକୁ ୩୬୫ ଦିନ ଖୋଲା ରହିପାରିବ । ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ପ୍ରତିବନ୍ଧକ ହଟିବ। ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଲିଖିତ ସମ୍ମତିରେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁଯାୟୀ ରାତ୍ରିରେ ନିୟୋଜିତ କରାଯାଇପାରିବ। ଅଧିକ ଓଭର ଟାଇମ କାମ କରିବାକୁ ଅନୁମତି ଦେଇ ଶ୍ରମିକଙ୍କ ରୋଜଗାର ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ । ଏହି ଅନୁମୋଦିତ ସଂଶୋଧନ ପ୍ରସ୍ତାବଗୁଡିକ ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ଦ୍ରୁତ ବ୍ୟବସାୟୀକରଣ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରିବ । ଯାହାକି ଆମକୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଢିବାରେ ସାହାଯ୍ୟ କରିବ ।