ନିଖୋଜ ଦୁଇ ଡାକ୍ତରଙ୍କ ପରିବାରକୁ ଆଶ୍ୱାସନା ଦେଲେ ରାଜ୍ୟ ସରକାର

ଗତ ସୋମବାର ରାତିରେ କେରଳ ରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ନିଖୋଜ ଥିବା ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି। ଏପରି ସ୍ଥଳରେ ପୁଅଙ୍କ ଫେରିବା ବାଟକୁ ଅନାଇ ଉଭୟଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ଏଥିସହ ଦୁଇ ଜଣ ଡାକ୍ତର ସେମାନଙ୍କ ପତ୍ନୀଙ୍କ ସହ ସକୁଶଳେ ଓଡ଼ିଶା ଫେରି ଆସିବେ ବୋଲି ଦୃଢ ଆଶା ବ୍ୟକ୍ତ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ନିଖୋଜ ଡାକ୍ତରଦ୍ୱୟ ହେଉଛନ୍ତି କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ତାଙ୍କ ବନ୍ଧୁ ଡାକ୍ତର ସ୍ଵାଧୀନ ପଣ୍ଡା । ଖୁବ୍‌ ଶୀଘ୍ର ସେମାନଙ୍କୁ ଠାବ କରିବାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋଶାଲ ମିଡ଼ିଆ Xରେ ଦର୍ଶାଇଛି ଯେ, ରାଜ୍ୟ ସରକାର କେରଳ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଷ୍ଣୁପ୍ରସାଦ ଚିନାରାଙ୍କ ଘରେ ପହଞ୍ଚିଛି ପ୍ରଶାସନ। ଅତିରିକ୍ତ ତହସିଲଦାର ଓ ବିଡ଼ିଓଙ୍କ ସମେତ ବିଧାୟକ ସୋଭିକ୍ ବିଶ୍ୱାଳ ପହଞ୍ଚି ପରିବାରକୁ ଆଶ୍ୱାସନା ଦେଇଛନ୍ତି। ସମସଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି।

ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ପୂଜାରୀ କହିଛନ୍ତି, ଦୁଇ ଡାକ୍ତର ନିଖୋଜ ହେବା ନେଇ ଓଡ଼ିଶା ସରକାର କେରଳ ସରକାରଙ୍କ ସହ ସମ୍ପର୍କରେ ଅଛନ୍ତି। ଏସଆରସି ମଧ୍ୟ ନିଜ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ନିଖୋଜ ୨ ଡାକ୍ତରଙ୍କ ପରିବାର ସହ ମଧ୍ୟ ଯୋଗାଯୋଗରେ ଅଛୁ । ପରିବାର ବର୍ଗଙ୍କୁ ପ୍ରତ୍ୟେକ ସମୟରେ ଅପଡେଟ୍ ଖବର ଦିଆଯାଉଛି। ଦୁଇ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଖୁବ୍‌ ଶୀଘ୍ର ଉଦ୍ଧାର ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିବେ ବୋଲି ଆଶା ରଖିଛନ୍ତି ମନ୍ତ୍ରୀ।