ସରିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନାମାଙ୍କନ : ଆଜି ଦାୟିତ୍ୱ ନେବେ ନିତିନ ନବୀନ

ସରିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନାମାଙ୍କନ :  ଆଜି ଦାୟିତ୍ୱ ନେବେ ନିତିନ ନବୀନ

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ବିଧିବଦ୍ଧ ଭାବେ ଦଳ ପକ୍ଷରୁ ତାଙ୍କ ନାମ ଘୋଷଣା ହେବା ସହ ସେ ଦାୟିତ୍ୱ ଗ୍ରହଣ କରିବେ । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ କେ ଲକ୍ଷ୍ମଣ ସୂଚନା ଦେଇ କହିଛନ୍ତିଯେ, ଦେଶର ୩୬ ରାଜ୍ୟରୁ ୩୦ ରାଜ୍ୟରେ ସଭାପତି ନିର୍ବାଚନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଆରମ୍ଭ ହୋଇଥିଲା । ଯାହାକି ସର୍ବନିମ୍ନ ଆବଶ୍ୟକତାର ୫୦%ରୁ ଅଧିକ । ୨୦୨୬ ଜାନୁଆରୀ ୧୬ରେ ନିର୍ବାଚନ କାର୍ଯ୍ୟସୂଚୀ ଜାରି କରାଯାଇଥିଲା । ଏହାଛଡ଼ା ନିର୍ବାଚନ ସୂଚୀ ମଧ୍ୟ ପ୍ରକାଶ ପାଇଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜାନୁଆରୀ ୧୯ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିଲା । ରାଷ୍ଟ୍ରୀୟ ସଭାପତି ଭାବେ ନିତିନ ନବୀନଙ୍କ ପାଇଁ ମୋଟ୍‌ ୩୭ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ସବୁ ନାମାଙ୍କନ ପତ୍ର ବୈଧ ଥିଲା । ଏକମାତ୍ର ପ୍ରାର୍ଥୀ ଭାବେ ନିତିନ ନବୀନଙ୍କ ନାମ ପ୍ରସ୍ତାବିତ ହୋଇଛି ବୋଲି କେ ଲକ୍ଷ୍ମଣ କହିଛନ୍ତି ।


   ନୀତିନ ନବୀନଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା ଭବ୍ୟ କାର୍ଯ୍ୟକ୍ରମରେ ନୂଆ ଅଧ୍ୟକ୍ଷଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ଏହି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରଭାତୀ ପରିଡ଼ା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସାମିଲ୍‌ ହୋଇଥିଲେ ।