ବାଦଲଫଟା ବର୍ଷା ବିତ୍ପାତ ୭ ମୃତ, ବ୍ୟାପକ କ୍ଷତି

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୀମାନ୍ତ ଜିଲ୍ଲା କଠୁଆରେ ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ଘଟିଛି । ପାହାଡ ଘେରା ଉପତ୍ୟକାରେ ପ୍ରକୃତିର ତାଣ୍ଡବ ଯୋଗୁଁ ଅନେକ ଘର ଭଗ୍ନାବଶେଷ ଓ ବନ୍ୟା ପାଣି ତଳେ ପୋତି ହୋଇଯାଇଛି । ଏଥିରେ ୭ଜଣଙ୍କ ମୃତୁ୍ୟ ହୋଇଛି । ଜମ୍ମୁ-ପଠାନକୋଟ ଜାତୀୟ ରାଜପଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି । 

ଅଧିକାରୀମାନେ କହିଛନ୍ତି ଯେ ଶନିବାର ମଧ୍ୟ ରାତିରେ କଠୁଆ ଜିଲ୍ଲାର ରାଜବାଗ ଅଞ୍ଚଳର ଯୋଡ ଘାଟି ଗାଁରେ ବାଦଲଫଟା ବର୍ଷା ହୋଇଥିଲା । ଏହି ଘଟଣା ଯୋଗୁଁ ଗାଁଟି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।  ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ) ର ଏକ ମିଳିତ ଦଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ଓ ଏନଡିଆରଏଫ ମଧ୍ୟ ସହାୟତା କରୁଛନ୍ତି ।
କଠୁଆ ପୁଲିସ ଥାନା ଅଧୀନରେ ଥିବା ବାଗାର୍ଡ, ଚାଙ୍ଗଡା ଗ୍ରାମ ଏବଂ ଲଖନପୁରର ଦିଲୱାନ-ହୁତଲି ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ରିପୋର୍ଟ କରାଯାଇଛି । ଡିଭିଜନାଲ କମିଶନର ଜମ୍ମୁ ରମେଶ କୁମାର ରାତାରାତି ପ୍ରବଳ ବର୍ଷା ଏବଂ ପରବର୍ତ୍ତୀ ବିପର୍ଯ୍ୟୟକୁ ନିଶ୍ଚିତ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏବଂ ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ସମସ୍ତ ପ୍ରକାରର ସାହାଯ୍ୟର ଆଶ୍ୱାସନା ଦେଇଛନ୍ତି । ପ୍ରଶାସନ କଠୁଆ ବାସିନ୍ଦାଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି, ସେମାନଙ୍କୁ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ବନ୍ୟା ଏବଂ ଭୂସ୍ଖଳନର ବିପଦ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଛି ।