ମହିଳାଙ୍କ ସୁରକ୍ଷାରେ "ହର୍' ଟିମ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷା ଲାଗି କମିଶନରେଟ ପୁଲିସ ସଜାଗ ହୋଇଉଠିଛି । ବିଶେଷକରି କର୍ମଜୀବୀ ମହିଳାମାନେ ରୋଡ ରୋମିଓଙ୍କ ଦୁର୍ବ୍ୟବହାରର ଶିକାର ହେଉଥିବା ଲକ୍ଷ୍ୟ କରାଯାଉଛି । ଏହାକୁ ରୋକିବା ଲାଗି ପୁଲିସ ଏକ ନୂଆ ପକ୍ଷକ୍ଷେପ ଗ୍ରହଣ କରିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ ‘ହର’ ବା ‘ଏଚଇଆର’ ଗଠନ କରାଯାଇଛି । ଯାହାର ଅର୍ଥ ହେଉଛି ‘ହାଇ ଏଫିସିଏନ୍ସି ରେସପନ୍ସ’ । ଏହି ଟିମର ମଙ୍ଗ ଧରିଛନ୍ତି ମହିଳା ଏସିପି ଅଞ୍ଜନା ଟୁଡୁ ।
ସୂଚନାଯୋଗ୍ୟଯେ, ଗତ କିଛିଦିନ ହେଲା ରାଜଧାନୀ ଓ ଉପକଣ୍ଠରେ ରୋଡ ରୋମିଓଙ୍କ ଉତ୍ପାତ ବଢିଯାଇଛି । ରାସ୍ତାରେ ମହିଳା ଓ ଯୁବତୀମାନଙ୍କୁ ଦୁର୍ବ୍ୟବହାର କରିବା ସହ କମେଣ୍ଟ କରୁଛନ୍ତି । ଏଭଳି ଅଭିଯୋଗ ଆସିବା ପରେ କମିଶନରେଟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମର ନେତୃତ୍ୱ ଏସିପି ଅଞ୍ଜନା ଟୁଡୁ ନେଉଥିବା ବେଳେ ଏହି ଟିମ୍ରେ ୧୪ ଜଣ ମହିଳା ପୁଲିସ ଅଫିସର ରହିଛନ୍ତି । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ୬୩୭୨୫୦୦୪୦୦ ଜାରି କରାଯାଇଛି । ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ । ଯଦି କେହି କଣ୍ଟ୍ରୋଲ ରୁମକୁ ଫୋନ କରୁଛି, ଉକ୍ତ କଲକୁ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି । ଅଭିଯୋଗ ଆସିବା ମାତ୍ରେ ପୁଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ ରୁଜୁ କରୁଛି । ଖଟି, ମାର୍କେଟ, ପାର୍କରେ ସାଦା ପୋଷାକରେ ଏହି ମହିଳା ସ୍କ୍ୱାର୍ଡ ପଇଁତରା ମାରୁଛନ୍ତି । ଆଗକୁ ଏହି ଟିମ ମହିଳାଙ୍କୁ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବ ବୋଲି ଡିସିପି ପ୍ରତୀକ୍ ସିଂହ କହିଛନ୍ତି ।
ଉଲ୍ଲେଖଯୋଗ୍ୟକି, କିଛିଦିନ ତଳେ ହାଇଟେକ୍ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଏନେଇ ଅଭିଯୋଗ ଆସିବା ପରେ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆକ୍ସନ ନେଇଛି । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଟିମ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଜଣଙ୍କୁ ଗିରଫ କରିଛି । ଅପରପକ୍ଷରେ ମହିଳାଙ୍କ ସୁରକ୍ଷା ଲାଗି କମିଶନରେଟ ପୁଲିସ ପକ୍ଷରୁ ପୂର୍ବରୁ ଅନେକ ପଦକ୍ଷେପ ନିଆଯାଇଛି । ମାତ୍ର ତାହା ସଫଳ ହୋଇପାରିନାହିଁ ।