ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି

ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଥିବା ଗ୍ରୀଷ୍ମପ୍ରବାହ ଆଜିଠାରୁ ଅସମ୍ଭାଳ ହେବ। ସ୍ଥିତି ଯାହା ଥିଲା, ତାହାଠୁ ଆହୁରି ବିଗିଡ଼ିବ। ଟାଣ ଖରା କଲବଲ କରିବା ସହ ଝାଞ୍ଜିମାଡ଼ରେ ଶରୀର ଝାଇଁଝାଇଁ ହେବ। ଶୁକ୍ରବାରଠାରୁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଶୁଷ୍କ ଓ ଗରମ ପବନ ପ୍ରବେଶ କରିବ। ଫଳରେ ରାଜ୍ୟର ଏକାଧିକ ସ୍ଥାନରେ ଦୃଷ୍ଟାନ୍ତମୂଳକ ଭାବେ ତାପମାତ୍ରା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଭୀଷଣ ଗ୍ରୀଷ୍ମ ଲହରୀ (ହିଟ୍‌‌ ୱେଭ୍‌‌-ସିଭିୟର ହିଟ୍‌‌-ୱେଭ୍‌‌) ଚେତାବନୀ ଜାରି କରାଯାଇଛି। ଶୁକ୍ରବାର ଓ ଶନିବାର ସ୍ଥିତି ଅତି ସମ୍ବେଦନଶୀଳ ହେବା ନେଇ ଆଶଙ୍କା ଥିବାରୁ ଏହି ଦୁଇ ଦିନ ବିଭିନ୍ନ ଜିଲ୍ଲା ପାଇଁ ରେଡ୍‌‌ ଆଲର୍ଟ ଜାରି ହୋଇଛି।

ଶୁକ୍ରବାର ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍‌‌ ଆଲର୍ଟ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ବୌଦ୍ଧ, ସୋନପୁର, ମାଲକାନଗିରି, କନ୍ଧମାଳ, ରାୟଗଡ଼ା, ଖୋର୍ଦ୍ଧା ନୟାଗଡ଼ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ରବିବାର ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଯୋଗୁଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ତାତି ସାମୟିକ ସମୟ ନୁହେଁ, ବରଂ ଦୀର୍ଘ ସମୟ ପର୍ୟ୍ୟନ୍ତ ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ମେ’ ଦ୍ୱିତୀୟ ସପ୍ତାହ ଆରମ୍ଭ ପର୍ୟ୍ୟନ୍ତ ତାତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ବିସ୍ତାରିତ ପରିସର ଆକଳନରେ ଦର୍ଶାଯାଇଛି।