ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା : ହାଇଆଲର୍ଟ ଜାରି
ପାକିସ୍ତାନରୁ ଆସିଲା ବଡ଼ ଖବର । ଚାମ୍ପିୟନ୍ସ ଟ୍ରଫିକୁ ଆତଙ୍କୀ ଭୟ । ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଇଥିବା ନେଇ ସୂଚନା ମିଳିଛି । ଏନେଇ ଖୋଦ ହାଇଆଲର୍ଟ ଜାରି କରିଛନ୍ତି ପାକିସ୍ତାନ ଗୁଇନ୍ଦା ବିଭାଗ । ଟିଟିପି, ଆଇଏସ୍ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି । ଏହାପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବନ୍ଦ ରହିଥିଲା । ଏହାପରେ ସ୍ଥିତିରେ ସୁଧାର ଆସିବା ପରେ ଦୀର୍ଘ ବର୍ଷ ପରେ ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ବର୍ତ୍ତମାନର ଖବର ନିହାତି ଭାବରେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପ୍ରଭାବ ପକାଇପାରେ । ଏମିତିକି ଆଗକୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସୁଯୋଗ ମିଳିବ କି ନାହିଁ, ତାହା ପ୍ରଶ୍ନ ଉଠିଛି । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଭାରତ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ସେଥିପାଇଁ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ୍ ମଡେଲରେ ଆୟୋଜନ କରାଯାଇଛି ।