କାମ ଦେଲାନି ହ୍ବାଟ୍ସଆପ୍ : କେନ୍ଦ୍ର ଓ ହ୍ବାଟ୍ସଆପ କମ୍ପାନିକୁ ନୋଟିସ୍ କଲେ ହାଇକୋର୍ଟ

କାମ ଦେଲାନି ହ୍ବାଟ୍ସଆପ୍ : କେନ୍ଦ୍ର ଓ ହ୍ବାଟ୍ସଆପ କମ୍ପାନିକୁ ନୋଟିସ୍ କଲେ ହାଇକୋର୍ଟ

 ବେଆଇନ ଭାବେ ଆବଦେନକାରୀଙ୍କ ଫୋନରେ ହ୍ବାଟ୍ସଆପ୍ ଅଚଳ କରାଯାଇଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଛନ୍ତି । ମାମଲାରେ ପ୍ରତିପକ୍ଷ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଇନ୍‌ଫରମେସନ୍ ଟେକ୍‌ନୋଲୋଜି ବିଭାଗ ସଚିବ ଓ ହାଇଦ୍ରାବାସ୍ଥିତ ହ୍ବାଟ୍ସଆପ୍ ଆପ୍ଲିକେସନ୍ ସର୍ଭିସେସ୍‌କୁ ହାଇକୋର୍ଟ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଇଂଜିନିୟର ଦେବାଶିଷ ହୋତାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ୨୦୨୫ ମେ ୨୬ ସଂଧ୍ୟା ୫ଟାରେ ଦେବାଶିଷ ହୋତାଙ୍କ ମୋବାଇଲ ଫୋନ୍ ନମ୍ବରରେ ହ୍ୟୁଟ୍ସଆପ୍ ଅଚଳ ହୋଇ ଯାଇଥିଲା । ସେ ଏହାକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ହ୍ଵାଟ୍ସଆପ୍ କମ୍ପାନିକୁ ୫ଟା ୪୫ରେ ଅନୁରୋଧ କରିଥିଲେ । ଏହାପରେ ତାଙ୍କୁ ଏକ ଫର୍ମ ପୂରଣ କରିବାକୁ କୁହାଯାଇଥିଲା । ଏହି ଫର୍ମରେ ଭାରତର କୋଡ୍ +୯୧ ବିକଳ୍ପ(ଅପସନ୍) ନଥିବା ଆବେଦନକାରୀ ଦେଖିବାକୁ ପାଇଥିଲେ । ଏହାପରେ ସେହିଦିନ ସଂଧ୍ୟା ୬ଟା ୩୬ରେ ସେ ଭାରତ ସରକାରଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । ସଂଧ୍ୟା ୭ଟା ୨୬ରେ, ହୋତାଙ୍କ ହ୍ବାଟ୍ସଆପ୍ ପୁନର୍ବାର କାର୍ଯ୍ୟ କରିବା ଆରମ୍ଭ କରିଥିଲା । ଜୁଲାଇ ୨୧ରେ ପୁଣିଥରେ ତାଙ୍କ ଫୋନରେ ହ୍ଵାଟ୍ସଆପ୍ ଅଚଳ ହୋଇ ଯାଇଥିଲା । ସେହିଦିନ ସକାଳ ୮ଟା ୨୫ରେ ଶ୍ରୀ ହୋତା ଏ ନେଇ ଅଭିଯୋଗ କରିଥିଲେ । ପୂର୍ବଭଳି କମ୍ପାନି ତରଫରୁ ତାଙ୍କୁ ଏକ ଫର୍ମ ପୂରଣ କରିବାକୁ କୁହାଯାଇଥିଲା । ଏଥର ଫର୍ମରେ ଭାରତର କୋଡ୍ +୯୧ ଥିବା ସେ ଦେଖିବାକୁ ପାଇଥିଲେ ଓ ଏହାକୁ ପୂରଣ କରିଦେଇଥିଲେ । କିନ୍ତୁ ତାଙ୍କ ହ୍ବାଟ୍ସଆପ୍ ପୁନଃକାର୍ଯ୍ୟକ୍ଷମ ହୋଇ ନଥିଲା । ଏ ନେଇ ଶ୍ରୀ ହୋତା କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ହ୍ବାଟ୍ସଆପ୍ କମ୍ପାନିକୁ କୌଣସି ନିର୍ଦ୍ଦେଶ ନ ଦେଇ ଏହି ଅଭିଯୋଗଟିକୁ ବନ୍ଦ କରି ଦେଇଥିଲେ । ବିନା କାରଣରେ ତାଙ୍କ ହ୍ବାଟ୍ସଆପ୍ ଅଚଳ କରାଯିବା ଏକ ବଡ଼ ଧରଣର ସାଇବର କ୍ରାଇମ୍ ସୂଚନା ଦେଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆବେଦନକାରୀଙ୍କ ନମ୍ବରରେ ହ୍ବାଟ୍ସଆପ୍ ପୁନଃ କାର୍ଯ୍ୟକ୍ଷମ ପାଇଁ ଇଲେକ୍ଟ୍ରୋନିକ୍ସ ଓ ଇନ୍‌ଫରମେସନ୍ ଟେକ୍‌ନୋଲୋଜି ବିଭାଗ ଆଦେଶ ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି ।