ଚଳିତବର୍ଷ ଖୋଲିବ ହୀରାକୁଦରେ ସର୍ବାଧିକ ୨୪ ଗେଟ୍‌

ଚଳିତବର୍ଷ ଖୋଲିବ ହୀରାକୁଦରେ ସର୍ବାଧିକ ୨୪ ଗେଟ୍‌

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ଅଧିକ ୪ଟି ସ୍ଲୁଇସ୍‌ ଖୋଲାଯାଇ ମୋଟ ୨୦ଟି ସ୍ଲୁଇସ ଗେଟ୍‌ରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।

ସୂଚନାଯୋଗ୍ୟ, ଗୁରୁବାର ୩ଟି ପର୍ଯ୍ୟାୟରେ ଅଧିକ ୧୦ଟି ସ୍ଲୁଇସ ଗେଟ୍‌ ଖୋଲାଯାଇ ମୋଟ୍‌ ୧୬ଟି ସ୍ଲୁଇସ୍‌ ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା। ମାତ୍ର ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟି ରଖି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସକାଳେ ପ୍ରଥମ ପର୍ଯ୍ୟାୟରେ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲି ମୋଟ୍‌ ୨୦ଟି ସ୍ଲୁଇସ୍‌ ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରବର୍ତ୍ତୀ କାଳରେ ଶୁକ୍ରବାର ଅପରାହ୍ନରେ ପୁଣିଥରେ ଦ୍ବିତୀୟ ପର୍ଯ୍ୟାୟରେ ଜଳଭଣ୍ଡାରର ଆହୁରି ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ୨୪ଟି ସ୍ଲୁଇସ ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ। ତେବେ ଶୁକ୍ରବାର ମଧ୍ୟାହ୍ନ ସାଢ଼େ ୧୨ଟାରେ
ମିଳିଥିବା ଶେଷ ସୂଚନା ଅନୁସାରେ ଜଳଭଣ୍ଡାରର ଜଳପତ୍ତନ ୬୨୬.୬୨ ଫୁଟ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୩ ଲକ୍ଷ ୬୯ ହଜାର ୨୫୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ହାରହାରି ୩ ଲକ୍ଷ ୫୩ ହାଜର ୯୦୧ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେଥିମଧ୍ୟରେ ୨୯ଟି ସ୍କୁଇସ ଗେଟ୍‌ ଜରିଆରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍‌ ୩ ଲକ୍ଷ ୨୩ ହାଜର ୬୬୦ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୨୫,୯୯୩ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୧୪ ଘନଫୁଟ ଏବଂ ଜଳସେଚନ ପାଇଁ ବରଗଡ଼ କେନାଲରେ ୩୩୨୩, ଶାସନ କେନାଲରେ ୬୩୦ ଓ ସମ୍ବଲପୁର କେନାଲରେ ୮୧ ଘନଫୁଟ ଜଳ ମିଶି ମୋଟ୍‌ ୪୦୩୪ ଘନଫୁଟ ଫୁଟ ଜଳ ନିଷ୍କାସନ କରାଯାଉଛି। ଏ ସମ୍ପର୍କରେ ବୁର୍ଲାସ୍ଥିତ ହୀରାକୁଦ ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ତଥା ମହାନଦୀ ଅବବାହିକା ପ୍ରବନ୍ଧକ ଇଂ. ସୁଶୀଲ ବେହେରା କହିଛନ୍ତି ଯେ, ଆଗକୁ ଆବଶ୍ୟକସ୍ଥଳେ ଜଳଭଣ୍ଡାରର ୨୪ଟି ପର୍ଯ୍ୟନ୍ତ ସ୍ଲୁଇସ୍‌ ଗେଟ୍‌ ଗେଟ୍‌ ଖୋଲାଯାଇ ପାରିବ। ଏହାଦ୍ବାର ମହାନଦୀ ତଳମୁଣ୍ଡରେ ବନ୍ୟା ଜନିତ କୌଣସି ବିପଦର ଆଶଙ୍କା ନାହିଁ। ବର୍ତ୍ତମାନ ଜଳଭଣ୍ଡାରର ସର୍ବନିମ୍ନ ଜଳସ୍ତର ୬୧୯ ଫୁଟ ଓ ସର୍ବାଧିକ ୬୨୭ ଫୁଟ ରହିବା କଥା। ସେହି ଅନୁଯାୟୀ, ସେପ୍ଟେମ୍ବର ୧୧ରେ ୬୨୯ ଫୁଟ ମଧ୍ୟରେ ଏବଂ ସେପ୍ଟେମ୍ବର ୨୧ର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ପ୍ରାୟ ୬୩୦ ଫୁଟ୍‌ ବଜାୟ ରଖିବାକୁ ହେବ ବୋଲି ସେ କହିଛନ୍ତି।