ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି। ସେକେଣ୍ତ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଛି। ଛତିଶଗଡରେ ଲଗାଣ ବର୍ଷା ଯୋଗୁ ଗତକାଲି ଠାରୁ ଜଳଭଣ୍ଡାରରେ ଅଧିକ ବନ୍ୟାଜଳ ପ୍ରବେଶ କରୁଛି।
ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ମୁଖ୍ୟତଃ ମୌସୁମୀ ଟ୍ରଫ୍ ଓ ବାୟୁ ଚଳାଚଳରେ ତାରତମ୍ୟ ହେତୁ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗୁରୁବାର କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଅନୁଗୋଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ବୌଦ୍ଧ, ସୋନପୁର, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ବୌଦ୍ଧରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି ଶୁକ୍ରବାର ମଧ୍ୟ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।