୨୮ ଯାଏଁ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୮ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ । ଗୋଟିଏ ପଟେ କାଳବୈଶାଖୀ ବର୍ଷା ଯୋଗୁଁ କିଛି ସମୟ ପ୍ରକୃତି ଶୀତଳ ପଡ଼ି ଯାଉଥିଲେ ବି ଖରାତାତି କିନ୍ତୁ ଜନଜୀବନକୁ ଆକ୍ତାମାକ୍ତା କରିଦେଉଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ଝାଞ୍ଜି ସାଧାରଣ ଜୀବନକୁ ବେହାଲ୍ କରିଦେଇଛି ।
ଅପରପକ୍ଷରେ ପ୍ରବଳ ରୌଦ୍ରତାପ ଜନିତ ଅସୁସ୍ଥତା ବୃଦ୍ଧିପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ ଜଣ ଲୋକ ରୌଦ୍ରତାପ ଜନିତ କାରଣରୁ ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଥିରୁ ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ଦେବଗଡରେ ୬ ଜଣ, ଖୋର୍ଦ୍ଧା, ମୟୂରଭଂଜ ଓ କେନ୍ଦୁଝରରେ ଜଣେ ଲେଖାଏଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୬ ଓ ୨୭ରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ତେବେ ଏଯାବତ୍ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ୨୮ ସକାଳରେ ପାଗରେ ସାମାନ୍ୟ ପରିବର୍ତ୍ତନ ପରିଲକ୍ଷିତ ହେବ । ପୁଣି ତାତି ବଢ଼ିବାର ସମ୍ଭାବନା ରହିଛି ।
ଯେଉଁଯେଉଁ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେଉଛି ସେହି ସ୍ଥାନରେ ହିଁ କେବଳ ତାତି କିଛି ମାତ୍ରାରେ ହ୍ରାସ ପାଇଛି । କିନ୍ତୁ ବାକି ଅଞ୍ଚଳରେ ତାତି କିନ୍ତୁ ବେଶ୍ ପରିଲକ୍ଷିତ ହେଉଛି । ଆଜି ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୫.୪ ଡିଗ୍ରୀ ରହିଛି । ଅପରପକ୍ଷରେ ଅନୁଗୁଳ ୪୧.୭, ସମ୍ବଲପୁର ୪୩, ସୁନ୍ଦରଗଡ଼ ୪୩, ହୀରାକୁଦ ୪୨.୪, ଭବାନୀପାଟଣା ୪୨.୫, ବଲାଙ୍ଗୀର ୪୨.୩, ଟିଟିଲାଗଡ଼ ୪୩, ସୋନପୁର ୪୨.୧, ବୌଦ୍ଧ ୪୩.୨, ପାରଳାଖେମୁଣ୍ଡି ୪୦, ବରଗଡ଼ ୪୨, ନୂଆପଡ଼ା ୪୧.୫, ରାଉରକେଲାରେ ତାପମାତ୍ରା ୪୨ ଡିଗ୍ରୀ ରହିଛି ।