ଟଙ୍କା ନ ଦେଇ ବି ବୁକ୍‌ କରିପାରିବେ ଟ୍ରେନ୍‌ ଟିକେଟ୍‌: ଭାରତୀୟ ରେଳବାଇ ଆଣିଲା ନୂଆ ସୁବିଧା

ଟଙ୍କା ନ ଦେଇ ବି ବୁକ୍‌ କରିପାରିବେ ଟ୍ରେନ୍‌ ଟିକେଟ୍‌: ଭାରତୀୟ ରେଳବାଇ ଆଣିଲା ନୂଆ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦ୍ୱାରା ନିକଟରେ ଏକ ନୂତନ ସୁବିଧା ଆରମ୍ଭ କରାଯାଇଛି। ଏହି ସୁବିଧାକୁ ‘ବୁକ୍‌ ନାଓ ପେ ଲାଟର୍‌(ଏବେ ବୁକ କରନ୍ତୁ ପରେ ଦିଅନ୍ତୁ)’ ନାମ ଦିଆଯାଇଛି। ଏହି ଗୋଟିଏ ବୈଶିଷ୍ଟ୍ୟ ସାହାଯ୍ୟରେ, ଆପଣ ପ୍ରଥମେ ଟ୍ରେନ୍‌ ଟିକେଟ୍‌ ବୁକ କରିପାରିବେ ଏବଂ ପରେ ଟିକେଟ ପାଇଁ ଦେୟ ଦେଇପାରିବେ। ଲମ୍ବ ଦୃଷ୍ଟିରୁ ଭାରତୀୟ ରେଳ ନେଟୱାର୍କ ବିଶ୍ୱର ଚତୁର୍ଥ ବୃହତ ରେଳ ନେଟୱାର୍କ। ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ବିଶ୍ୱରେ ପ୍ରଥମ ସ୍ଥାନରେ ଅଛି।

ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ରେଳ ଟ୍ରେନରେ ଯାତ୍ରା କରନ୍ତି। ଅନେକ ସମୟରେ ଟିକେଟ୍‌ ବୁକ କରିବା ସମୟରେ ପେମେଣ୍ଟ ଯୋଗୁ ଟିକେଟ ବୁକ୍‌ କରିବାରେ ବିଳମ୍ବ ହୋଇଥାଏ ଏବଂ କେତେବେଳେ ପେମେଣ୍ଟ ଅଟକିଗଲେ ମଧ୍ୟ ଟିକେଟ୍‌ ବୁକ୍‌ ହୋଇପାରି ନ ଥାଏ। ଏବେ ରେଳବାଇ ଦ୍ୱାରା ‘ବୁକ୍‌ ନାଓ ପେ’ ଲାଟର୍‌’ ସୁବିଧା ଆରମ୍ଭ କରାଯାଇଛି। ଏହି ସୁବିଧା ବ୍ୟବହାର କରି ଯାତ୍ରୀମାନେ ସହଜରେ ପ୍ରଥମେ ଟିକେଟ ବୁକ୍‌ କରିପାରିବେ ଏବଂ ପରେ ଟିକେଟ ବୁକିଂ ପାଇଁ ଦେୟ ଦେଇପାରିବେ, ଯାହା ଦାରା ପେମେଣ୍ଟ ଯୋଗୁ ଟିକେଟ ବୁକ୍‌ ନ ହେବାର ସମସ୍ୟା ହ୍ରାସ ପାଇବ।

ମନେରଖନ୍ତୁ ଯେ ଆପଣ ଏହି ସୁବିଧା କେବଳ ଅନଲାଇନ୍‌ ମାଧ୍ୟମରେ ପାଇପାରିବେ। ଆପଣ IRCTC ଆପ୍‌ ଏବଂ ୱେବସାଇଟ୍‌ ମାଧ୍ୟମରେ ଭାରତୀୟ ରେଳବାଇର ’Book Now Pay Later’ ସୁବିଧା ସହଜରେ ପାଇପାରିବେ। ଇ-କମର୍ସ ପ୍ଲାଟଫର୍ମ ପରି, ଆପଣଙ୍କୁ ଟ୍ରେନ୍‌ ଟିକେଟ ପେମେଣ୍ଟ ପୃଷ୍ଠାରେ ହିଁ ଏହି ସୁବିଧାର ବିକଳ୍ପ ମିଳିବ। ଏହି ବିକଳ୍ପ ସାହାଯ୍ୟରେ, ଆପଣ ଟିକେଟ ବୁକ୍‌ କରିପାରିବେ ଏବଂ କିଛି ସମୟ ପରେ ଆରାମରେ ପେମେଣ୍ଟ କରିପାରିବେ। ଆପଣଙ୍କୁ କେବଳ ୧୪ ଦିନ ମଧ୍ୟରେ ଟିକେଟ ପାଇଁ ଦେୟ ଦେବାକୁ ପଡିବ, ନଚେତ ଆପଣଙ୍କୁ ସେବା ଶୁଳ୍କ ପାଇଁ ୩.୫% ଅତିରିକ୍ତ ଜରିମାନା ଦେବାକୁ ପଡିବ।