ଜଙ୍ଗଲରେ ଟ୍ରେନିଂ, ଆଇପିଏଲରେ ଷ୍ଟାର୍
ନୂଆଦିଲ୍ଲୀ : ଆଇପିଏଲରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ । ସେ ଆଇପିଏଲ ଇତିହାସରେ ପ୍ରଥମ ଅନ୍କ୍ୟାପଡ ଖେଳାଳି ଭାବେ ମଙ୍ଗଳବାର ସର୍ବଶ୍ରେଷ୍ଠ ଶତକ ହାସଲ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଭଳି ଆଇପିଏଲର ସବୁଠାରୁ ସଫଳ ଟିମ ବିପକ୍ଷରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ପ୍ରିୟାଂଶ ୩୯ ବଲରେ ଶତକ ହାସଲ କରିଛନ୍ତି । ଏହା ଟୁର୍ଣ୍ଣାମେଣ୍ଟ ଇତିହାସର ୪ର୍ଥ ଦ୍ରୁତତମ ଶତକ । ଚଳିତ ବର୍ଷ ଆଇପିଏଲରେ ପ୍ରିୟାଂଶଙ୍କ ଡେବୁ୍ୟ ହୋଇଛି । ଡେବୁ୍ୟ ସିଜିନରେ ସେ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ନିଜ ଜଲୱା ଦେଖାଇଛନ୍ତି । ତେବେ ପ୍ରିୟାଂଶ ରାତାରାତି ଆଇପିଏଲ ମଞ୍ଚରେ ଏପରି ସଫଳତା ପାଇ ନାହାନ୍ତି । ସଫଳତା ହାସଲ ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ୨୦୨୫ ଆଇପିଏଲ ପୂର୍ବରୁ ବାମହାତୀ ବ୍ୟାଟର ପ୍ରିୟାଂଶ କେମିତି ଟ୍ରେନିଂ ନେଇଥିଲେ, ତା’ର ତଥ୍ୟ ତାଙ୍କ କୋଚ ସାର୍ବଜନୀନ କରିଛନ୍ତି । ପ୍ରିୟାଂଶ ଜଣାଶୁଣା କୋଚ ସଞ୍ଜୟ ଭରଦ୍ୱାଜଙ୍କ ଅଧୀନରେ ତାଲିମ ନେଇଥିଲେ । ସଞ୍ଜୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ କୋଚ୍ । ପ୍ରିୟାଂଶ ୨୦୨୫ ଆଇପିଏଲର ମାସକ ପୂର୍ବରୁ ଭରଦ୍ୱାଜଙ୍କ ଆବାସିକ ଟ୍ରେନିଂ ସେଣ୍ଟରରେ ପହଞ୍ଚିଥିଲେ । ଏହା ଭୋପାଲ ଠାରୁ ୨୦ କିମି ଦୂର । ମଧ୍ୟପ୍ରଦେଶର ରତପାଣି ଜଙ୍ଗଲ ମଧ୍ୟରେ ଏହା ରହିଛି । ଭରଦ୍ୱାଜ ସେଠାରେ ଗୁରୁକୁଳ ଶୈଳୀରେ କ୍ୟାମ୍ପ ଚଳାନ୍ତି । ତାଙ୍କ କ୍ୟାମ୍ପରେ ନୀତୀଶ ରାଣା, ଉନ୍ମକ୍ତ ଚାନ୍ଦ, କୁଳୱାନ୍ତ ଖେଜରୋଲିଆ ଭଳି ଖେଳାଳି ପୂର୍ବରୁ ତାଲିମ ନେଇଥିଲେ । ଏଥର ସେ ପ୍ରିୟାଂଶଙ୍କୁ ଆଇପିଏଲ ପୂର୍ବରୁ ପ୍ରସ୍ତୁତ କରିଥିଲେ ।
ଭରଦ୍ୱାଜ କହିଛନ୍ତି, “ଆଇପିଏଲ ଓ ଦିଲ୍ଲୀ ପ୍ରିମିୟର ଲିଗ ପୂର୍ବରୁ ପ୍ରିୟାଂଶ ଏଠାରେ ତାଲିମ ନେଇଥିଲେ । ଏଠାରେ ମୋର ଗୋଟିଏ ଆବାସିକ ଏକାଡେମୀ ରହିଛି । ସହର ଠାରୁ ୨୦ କିମି ଦୂର ରତପାଣି ଜଙ୍ଗଲ ଭିତରେ ଏହି ଏକାଡେମୀ ଚାଲେ । ଏହା ଗୋଟିଏ ଗୁରୁକୁଳ ଭଳି । ଏହାକୁ ଠାବ କରିବା ଅସମ୍ଭବ । କାରଣ ଏକାଡେମୀରେ ପହଞ୍ଚିବା ପାଇଁ କୌଣସି ସାଇନ ବୋର୍ଡ ନାହିଁ । ଦିଲ୍ଲୀର ଗରମ ଓ ପ୍ରଦୂଷଣ ଠାରୁ ଦୂରରେ ରହି ପ୍ରିୟାଂଶ ତାଲିମ ନେଇଥିଲେ ।”