ଜମ୍ମୁ-କାଶ୍ମୀର ବିଧାନସଭାରେ ହଙ୍ଗାମା ; ରମଜାନ୍ ବେଳେ ଫ୍ୟାଶନ୍ ଶୋ’କୁ ନିନ୍ଦା

ଜମ୍ମୁ: ରମଜାନ ବେଳେ ଫ୍ୟାଶନ୍ ଶୋ’ । ଧର୍ମମାସ ସମୟରେ ଅଙ୍ଗ ପ୍ରଦର୍ଶନ ଭଳି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ନେଇ ଦେଖାଦେଇଛି ଅସନ୍ତୋଷ । ଜମ୍ମୁ-କାଶ୍ମୀରର ଗୁଲ୍ମାର୍ଗ ସ୍ଥିତ ଏକ ହୋଟେଲ୍ରେ ଅନୁଷ୍ଠିତ ଫ୍ୟାଶନ୍ ଶୋ’କୁ ନେଇ ଅଞ୍ଚଳବାସୀ ତଥା ରାଜନେତା ମାନେ ଏହା ଉପରେ ଆପତ୍ତି ଉଠାଇଛନ୍ତି । ଘଟଣାକୁ ନେଇ ଆଜି ଜାମ୍ମୁ-କାଶ୍ମୀର ବିଧାନସଭାରେ ମଧ୍ୟ ଶାସକ ଓ ବିରୋଧୀଦଳଙ୍କ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି ହୋଇଛି ।
ଆଜି ପୂର୍ବାହ୍ଣରେ ଗୃହ ଆରମ୍ଭ ହେବା ମାତ୍ରେ, ନ୍ୟାସନାଲ କନଫରେନ୍ସ (ଏନ୍ସି), ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ରମଜାନ ସମୟରେ ଏଭଳି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇ ହୋହଲ୍ଲା କରିଥିଲେ । ପ୍ରାୟ ୨୫ ମିନିଟ୍ ପର୍ଯ୍ୟନ୍ତ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା । ବାଚସ୍ପତି ଅବଦୁଲ ରହିମ ରାଥାର ସଦସ୍ୟମାନଙ୍କୁ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ପରିବେଶ ଶାନ୍ତ ପଡ଼ି ନ ଥିଲା ।
ସେପଟେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗୃହରେ କହିଥିଲେ ଯେ, “ଗୁଲମାର୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ଏହାଦ୍ୱାରା ମୁସଲିମ୍ ସମ୍ପ୍ରଦାୟଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି । ଏପରି କାର୍ଯ୍ୟକ୍ରମ କେବେ ହେବା ଉଚିତ୍ ନୁହେଁ । ଏହି ଫ୍ୟା ଫ୍ୟାଶନ୍ ଶୋ' ସହିତ ସରକାରଙ୍କର କୌଣସି ସମ୍ପର୍କ ନାହିଁ । ଆୟୋଜକମାନେ ଆମଠାରୁ କୌଣସି ଅନୁମତି ନ ନେଇ ଏହି କାର୍ଯ୍ୟକ୍ରମ କରିଥିଲେ ବୋଲି କହିଥିଲେ । ତେବେ ଯଦି ଏହି ଘଟଣାରେ କୌଣସି ନିୟମ ଉଲ୍ଲଂଘନ ହୋଇଛି, ମାମଲାକୁ ପୁଲିସକୁ ହସ୍ତାନ୍ତର କରାଯିବା ଉଚିତ ।” ଏହି ସମୟରେ, ବିଜେପି ବିଧାୟକ ରଣବୀର ସିଂହ ପଠାନିଆ କହିଥିଲେ ‘କାଶ୍ମୀରରେ ବିଭିନ୍ନ ସମୟରେ ଧର୍ମାନ୍ଧତାର ପ୍ରକୋପ ଦେଖିବାକୁ ମିଳୁଛି ।’ ଏଥିପ୍ରତି ଦୃଷ୍ଟି ଦେଇ ଏ ଦିଗପ୍ରତି ଆମ ସମସ୍ତଙ୍କୁ ପଦକ୍ଷେପ ନେବାକୁ ପଡ଼ିବ । ବିଜେପି ବିଧାୟକଙ୍କ ଏହି ବୟାନ ପରେ ଏନସି-କଂଗ୍ରେସ, ପିଡିପି ଏବଂ ବିଜେପି ମଧ୍ୟରେ ବିତର୍କ ଆରମ୍ଭ ହୋଇଥିଲା । ପ୍ରାୟ ୨୫ ମିନିଟ୍ ପର୍ଯ୍ୟନ୍ତ ଗୃହରେ ହଟ୍ଟଗୋଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବାଚସ୍ପତି କହିବା ପରେ ମଧ୍ୟ ଗୃହ ଶାନ୍ତ ପଡ଼ି ନଥିଲା । ତେଣୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । ସୂଚନାଯୋଗ୍ୟ ଗତ ୭ରେ ପ୍ରସିଦ୍ଧ ଡିଜାଇନର୍ ବ୍ରାଣ୍ଡ ‘ଶିବନ ଆଣ୍ଡ୍ ନରେଶ' ନିଜର ୧୫ତମ ସ୍ୱନକ୍ଷତ୍ର ଅବସରରେ ଗୁଲମାର୍ଗରେ ଏକ ଫ୍ୟାଶନ୍ ଶୋ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ବ୍ରାଣ୍ଡ ପକ୍ଷରୁ ଅତ୍ୟାଧୁନିକ ଛୋଟ ପୋଷାକର ପ୍ରଦର୍ଶନ କରାଯାଇଥିଲା । ଏହି ଶୋ'ର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ରମଜାନ ମାସରେ ଏପରି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଥିଲେ ।
ତେବେ ଏହି ବିବାଦ ପରେ ‘ଶିବନ ଆଣ୍ଡ୍ ନରେଶ'ର ଫ୍ୟାଶନ୍ ଡିଜାଇନର୍ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । “କୌଣସି ଧର୍ମୀୟ ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ ବରଂ ନିଜର ଜୀବନଶୈଳୀକୁ ଆହୁରି କିପରି ସୁନ୍ଦର କରିହେବ ତାହାକୁ ନେଇ ଆମର ଉପସ୍ଥାପନା ରହିଥିଲା ।” ଏକ୍ସ ଜରିଆରେ ‘ଶିବନ ଆଣ୍ଡ୍ ନରେଶ' ପକ୍ଷରୁ ଏହି ପୋଷ୍ଟ କରାଯାଇଛି ।