ଜଗନ୍ନାଥଙ୍କୁ ପୂଜା କରନ୍ତି ଆଦିବାସୀ ପୂଜାରୀ

ଜଗନ୍ନାଥଙ୍କୁ ପୂଜା କରନ୍ତି ଆଦିବାସୀ ପୂଜାରୀ

ଆଦିବାସୀ  ଅଧ୍ୟୁଷିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକ ଅଞ୍ଚଳର ସିମନବାଡ଼ି ସମେତ ଉକ୍ତ ପଞ୍ଚାୟତର ଗବାଟବାଡ଼ି, ଶ୍ରାନିକେତା ପଞ୍ଚାୟତ ଟକରମାଲା, ଗଦାପୁର ଏବଂ କାଟିଙ୍ଗିଆଠାରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି। ସବୁଠି ଉତ୍ସମୁଖର ଦେଖାଯିବା ସହ ସକାଳୁ ଝିପିଝିପି ବର୍ଷା କାରଣରୁ ରଥ ପ୍ରତିଷ୍ଠା ଓ ରୀତିନୀତିରେ ବିଳମ୍ବ ଦେଖାଯାଇଛି। ସମସ୍ତ ମନ୍ଦିର ସମ୍ମୁଖରେ ରଥ ପ୍ରସ୍ତୁତ ରହିଛି। ବର୍ଷା କାରଣରୁ ଅପରାହ୍ନ ୩ଟା ପରେ ପହଣ୍ଡି ବିଜେ ସହ ରଥଟଣା କାର୍ଯ୍ୟକ୍ରମ ହେବ।

ପ୍ରକାଶ ଯେ, ରାଜରାଜୁଡ଼ା ସମୟରୁ କାଟିଙ୍ଗିଆ ଏବଂ ଗଦାପୁରରେ ଏହି ରଥଯାତ୍ରା ପାରମ୍ପରିକ ଭାବେ ଚାଲିଆସିଥିବା ବେଳେ ଗତ କିଛିବର୍ଷ ହେଲା ସିମନବାଡି, ଗବାଟବାଡ଼ି ଏବଂ ଟକରମାଲାରେ ଏହି ପର୍ବ ପାଳନ କରାଯାଉଛି। ସିମନବାଡ଼ିକୁ ଛାଡ଼ିଦେଲେ ଉକ୍ତ ୨ଟି ଗ୍ରାମରେ କେବଳ ଆଦିବାସୀ ବସବାସ କରନ୍ତି ଓ ଏହି ଯାତ୍ରାକୁ ପୁରୀ ମନ୍ଦିରର ନୀତିନିୟମ ଭଳି ସେହି ସଂସ୍କୃତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଓ ରଥ ପ୍ରତିଷ୍ଠା ଆଦି କରାଯାଉଛି। ତେବେ ଉକ୍ତ ୨ ଆଦିବାସୀ ଗ୍ରାମରେ ଜଗନ୍ନାଥଙ୍କ ପୂଜାରୀ ଭାବେ ଆଦିବାସୀ ସମ୍ପ୍ରଦାୟର ପୂଜାରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା, ରୀତିକାନ୍ତି କରିଥାନ୍ତି ଯାହାକି ନିଆରା ଭାବେ ସେମାନେ ଏହି ପର୍ବକୁ ଗାଁ ଗାଁରେ କଳସ ସହ ଜଗନ୍ନାଥଙ୍କୁ ନେଇ ପରିକ୍ରମା କରିଥାନ୍ତି। ଟକରମାଲାରେ ପୂଜକ ଭାବେ ରଞ୍ଜାପା ପ୍ରଧାନ ଏହି ପୂଜାର୍ଚ୍ଚନା କରୁଥିବା ବେଳେ ଗବାଟବାଡ଼ିରେ ସାନୁଙ୍ଗା ପ୍ରଧାନ ପୂଜାର୍ଚ୍ଚନା ରୀତିକାନ୍ତି କରୁଛନ୍ତି।