୪୦ ପ୍ଲସ୍ ସ୍କୁଲ୍କୁ ବୋମା ମାଡ଼ ଧମକ

 ଭୁବନେଶ୍ୱର: ସୋମବାର ସକାଳେ ଇମେଲ୍ ଜରିଆରେ ଦିଲ୍ଲୀର ବିଭିନ୍ନ ସ୍କୁଲ୍କୁ ବୋମାମାଡ଼ ଧମକ ଦିଆଯାଇଛି । ନୂଆଦିଲ୍ଲୀର ପ୍ରାୟ ୪୦ରୁ ଊଦ୍ଧ୍ୱର୍ ସ୍କୁଲ୍କୁ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଛି । ପଶ୍ଚିମ ବିହାରର ଡିପିଏସ୍ ଆରକେ ପୁରମ ଏବଂ ଜିଡି ଗୋଏଙ୍କା ସ୍କୁଲ୍ କର୍ତ୍ତୃପକ୍ଷ ପ୍ରଥମେ ଏହି ସୂଚନା ଦେଇଥିଲେ । ତେବେ ଏହି ଚେତାବନୀ ପରେ ସ୍କୁଲ୍ କର୍ତ୍ତୃପକ୍ଷ ପିଲାମାନଙ୍କୁ ଘରକୁ ପଠାଇ ଦେଇଥିବା ବେଳେ ପୁଲିସ୍ ଘଟଣାର ଖୋଳତାଡ଼ କରୁଛି । 
ସୂଚନାନୁସାରେ ରବିବାର ରାତି ପ୍ରାୟ ୧୧.୩୮ରେ ଇମେଲ୍ ଜରିଆରେ ଏହି ଧମକ ମିଳିଛି । ବିଲ୍ଡିଂ ଭିତରେ ଏକାଧିକ ବୋମା ଲଗାଯାଇଥିବା ଇମେଲରେ ଉଲ୍ଲେଖ କରାଯାଇଛି । ଇମେଲରେ ଲେଖାଥିଲା ଯେ ବୋମାଗୁଡିକ ଖୁବ୍ ଛୋଟ ଏବଂ ବହୁତ କୌଶଳର ସହ ଲୁଚାଯାଇଛି । ଏହି ଧମକ ବଦଳରେ ଅପରାଧୀମାନେ ୩୦,୦୦୦ ଡଲାର ଦାବି କରିଛନ୍ତି । ଇମେଲ୍ରେ ଲେଖାଯାଇଛି, ଏହା ବିଲ୍ଡିଂକୁ ଅଧିକ କ୍ଷତି ପହଞ୍ଚାଇବ ନାହିଁ । କିନ୍ତୁ ବୋମା ବିସ୍ଫୋରଣ ହେବା ପରେ ଅନେକ ଲୋକ ଆହତ ହେବେ । ତୁମେ ସମସ୍ତେ ଯନ୍ତ୍ରଣା ଭୋଗିବାକୁ ଓ ଅଙ୍ଗ ହରାଇବାକୁ ଯୋଗ୍ୟ । ଏହାପୂର୍ବରୁ ଅକ୍ଟୋବର ମାସରେ ରବିବାର ସକାଳେ ରୋହିଣୀର ପ୍ରଶାନ୍ତ ବିହାରର ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ବିଦ୍ୟାଳୟ ବାହାରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ବିଦ୍ୟାଳୟର କାନ୍ଥ ଏବଂ ନିକଟସ୍ଥ ଦୋକାନ ଏବଂ ଯାନବାହନ ନଷ୍ଟ ହୋଇଥିଲା ।