ହତ୍ୟାକାରୀକୁ ୫ବର୍ଷ ଜେଲ୍
ଚମ୍ପୁଆ :ଏକ ହତ୍ୟା ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣୟ କୁମାର ଦାଶ ଆସାମୀ ଗୌରହରୀ ମହାନ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଚମ୍ପୁଆ ଥାନା କେସ ନଂ ୩୨/୨୦୨୧ ଓ ସେଶନ କେସ୍ ନଂ-୨୩/୨୧କୁ ଶୁଣାଣି କରି ୧୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଚମ୍ପୁଆ ଥାନା ଅନ୍ତର୍ଗତ କୋଦଗାଡିଆ ଗ୍ରାମର ଲକ୍ଷ୍ମୀ ସାହିରେ ଗୌରହରି ମହାନ୍ତ ଓ ଲିପୁନ ମହାନ୍ତଙ୍କ ମଧ୍ୟରେ କଳି ଝଗଡା ଆରମ୍ଭ ହୋଇଥିଲା । ଫଳରେ ଉତ୍ତେଜିତ ହୋଇ ଗୌରହରି ମହାନ୍ତ ଲିପୁନ ମହାନ୍ତଙ୍କୁ ଏକ ଧାରୁଆ ଛୁରୀରେ ଭୁଷି ଦେବାରୁ ଅଚେତ ଲିପୁନ ମହାନ୍ତଙ୍କୁ ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ଲିପୁନର ବାପା ପୁଣ୍ଣଚନ୍ଦ୍ର ମହାନ୍ତ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ । ଚମ୍ପୁଆ ପୋଲିସ କେସ ନଂ ୩୨/୨୧ ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଗୌରହରିଙ୍କୁ ଗିରଫ କରିଥିଲେ । ଏହି ମାମଲାକୁ ବିଚାର କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ଦାଶ ଆସାମୀ ଗୌରହରି ମହାନ୍ତଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିବା ସହିତ ଜରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମଧୁସୂଦନ ପତି ଏହି ମକର୍ଦ୍ଧମା ପରିଚାଳନା କରିଥିଲେ ।