ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜନୀତି

ରାଜନୀତିରେ ଏବେ ‘ଉତ୍କଳ ବନାମ କୋଶଳ’ । ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଓଡ଼ିଶା ବିଭାଜନ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । କିଛି ଜୟନାରାୟଣଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରିଛନ୍ତି । ଓଡ଼ିଆ ଅସ୍ମିତା କଥା କହି ବିଜେପିକୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସମ୍ବଲପୁରର ବିଜେଡି ନେତା ରୋହିତ ପୂଜାରୀ କହିଛନ୍ତି, ଜୟନାରାୟଣଙ୍କୁ ଘାରିଛି ମନ୍ତ୍ରୀ ପଦ । ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ସ୍ପଷ୍ଟୀକରଣ ଦାବି କରିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ତଥା ବିଜେଡି ବିଧାୟକ ପ୍ରତାପ ଦେବ। କଂଗ୍ରେସ ମଧ୍ୟ ଓଡ଼ିଆ ଅସ୍ମିତାର କଥା କହି ସରକାରଙ୍କୁ ଘେରିଛି । ଗତକାଲି ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଜୟନାରାୟଣ ମିଶ୍ର ଖୋଲାଖୋଲି କହିଥିଲେ, ଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ । ଏହା ଐତିହାସିକ ଭୁଲ୍ ଥିଲା ବୋଲି ଜୟନାରାୟଣ କହି ବିବାଦୀୟ ହୋଇଛନ୍ତି ।