ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବିଷ୍ଣୋଇ ଗ୍ୟାଙ୍ଗ ହିଟଲିଷ୍ଟରେ ଜୁନିୟର ସିଦ୍ଦିକ

ାା ଏଜେନ୍ସି ।ା ମୁମ୍ବାଇ: ମହାରାଷ୍ଟ୍ରର ଭେଟରାନ ରାଜନେତା ବାବା ସିଦ୍ଦିକିଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି । ତାଙ୍କୁ ହତ୍ୟା କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ପର୍କରେ ବଡ ତଥ୍ୟ ମିଳିଛି । ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ରହିଛନ୍ତି ।
ସିନିୟର ଓ ଜୁନିୟର ସିଦ୍ଦିକିଙ୍କୁ ଏକାଠି ଗୁଳି କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ଠିକା ଦେଇଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଗ୍ୟାଙ୍ଗ ପକ୍ଷରୁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ବେଳେ ଆଗକୁ ଜିଶାନ ମଧ୍ୟ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ଘଟଣାରେ ଗିରଫ ସୁଟରମାନେ କହିଛନ୍ତି ଯେ ସେମାନଙ୍କୁ ବାବା ସିଦ୍ଦିକି ଓ ପୁଅ ଜିଶାନଙ୍କୁ ହତ୍ୟା କରିବା ପାଇଁ ଠିକା ମିଳିଥିଲା । ଶନିବାର ସନ୍ଧ୍ୟାରେ ଉଭୟ ସିଦ୍ଦିକି ବାପ-ପୁଅ ଘଟଣାସ୍ଥଳରେ ଉପସ୍ଥିତି ରହିବେ ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ଉଭୟ ବାପା-ପୁଅଙ୍କୁ ଏକାଠି ହତ୍ୟା କରିବାର ସୁଯୋଗ ଯଦି ସେମାନଙ୍କୁ ନ ମିଳିବ, ତା’ହେଲେ ଦୁଇ ଜଣଙ୍କ ମଧ୍ୟରୁ ଯାହାଙ୍କୁ ଆଗ ପାଇବେ ତାଙ୍କୁ ଗୁଳି କରି ହତ୍ୟା କରିଦେବାକୁ ମଧ୍ୟ ଦୁଇ ସୁଟରଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।
ଜିଶାନ ସିଦ୍ଦିକି ବାନ୍ଦ୍ରା ଇଷ୍ଟ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିଲେ । ତେବେ ବିଧାନ ପରିଷଦ ନିର୍ବାଚନରେ ସେ କ୍ରସ ଭୋଟିଂ କରିବାରୁ ତାଙ୍କୁ ଦଳରୁ କିଛି ମାସ ତଳେ ବହିଷ୍କାର କରାଯାଇଥିଲା । ତାଙ୍କୁ ଏବେ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା କରିବାକୁ ଯୋଜନା ରଖିଛି । ଶନିବାର ବାବା ସିଦ୍ଦିକିଙ୍କୁ ବାନ୍ଦ୍ରା ସ୍ଥିତ ଜିଶାନଙ୍କ ଅଫିସ ବାହାରେ ୩ ଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ । ହତ୍ୟା ପୂର୍ବରୁ ସେମାନେ ଅଫିସ ବାହାରେ ମୁତୟନ କନଷ୍ଟେବଲଙ୍କ ଉପରକୁ ଲଙ୍କା ଗୁଣ୍ଡ ମଧ୍ୟ ପକାଇଥିଲେ । ଘଟଣାରେ ପୁଲିସ ଗୁରମୈଲ ବଲଜିତ ସିଂହ ଓ ଧର୍ମରାଜ ରାଜେଶ କଶ୍ୟପଙ୍କୁ ଗିରଫ କରିଛି । ତେବେ ଘଟଣାରେ ସାମିଲ ଥିବେ ଶିବ କୁମାର ଗୌତମ ଫେରାର ହୋଇ ଯାଇଛି । ତାକୁ ଧରିବା ପାଇଁ ଏକାଧିକ ଟିମ ଲାଗିଛନ୍ତି । ଅନ୍ୟପକ୍ଷରେ ପୁଲିସ୍ ଗତକାଲି ସନ୍ଧ୍ୟାରେ ଆଉ ଜଣଙ୍କୁ ଗିରଫ କରିଛି । ଏହି ବ୍ୟକ୍ତି ଜଣଙ୍କ ଫେସବୁକରେ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପାଇଁ ସେ ନିଜକୁ ଦାୟୀ କରି ଗୋଟିଏ ପୋଷ୍ଟ କରିଥିଲା । ଗିରଫ ବ୍ୟକ୍ତି ଜଣଙ୍କ ହେଲା ପ୍ରବୀଣ ଲୋନକର । ପ୍ରବୀଶ ହେଉଛି ବିଷ୍ଣୋଇ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଶୁଭମ ରାମେଶ୍ୱର ଲୋନକରର ଭାଇ ।