ଜଷ୍ଟିସ୍ ବର୍ମାଙ୍କ ନାଁରେ ଆସିପାରେ ମହାଭିଯୋଗ
ନୂଆଦିଲ୍ଲୀ: ଘରୁ ଟଙ୍କା ଠାବ ନେଇ ବିବାଦୀୟ ହୋଇପଡ଼ିଥିବା ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି । ଘଟଣାର ତଦନ୍ତ ପାଇଁ ସିଜେଆଇଙ୍କ ପକ୍ଷରୁ ପ୍ରସ୍ତୁତ ତିନିଜଣିଆ ତଦନ୍ତ କମିଟି ଏ ମାମଲାରେ ଜଷ୍ଟିସ୍ ବର୍ମାଙ୍କୁ ପଚରା ଉଚରା କରିଥିବା ବେଳେ ତାଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିପାରି ନଥିଲା । ଏହାସହ ଘରୁ ଠାବ ହୋଇଥିବା ଟଙ୍କାର ସୂତ୍ର ମଧ୍ୟ କହିପାରି ନଥିଲେ । ତେବେ ତଦନ୍ତ ବେଳେ ତାଙ୍କ ବାସଭବନ ଷ୍ଟୋର୍ରୁମ୍ରୁ ଦେଢ଼ଫୁଟ ଉଚ୍ଚର ପୋଡ଼ା ନୋଟ୍ ପାଉଁଶ ଗଦା ମଧ୍ୟ ଦେଖିବାକୁ ମିଳିଥିଲା । ଷ୍ଟୋର୍ ରୁମ୍କୁ କେବଳ ଜଷ୍ଟିସ୍ ବର୍ମା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପ୍ରବେଶ ଅନୁମତି ଥିବାରୁ ଟଙ୍କାର ସୂତ୍ର ସମ୍ପର୍କରେ କେବଳ ସେଇମାନେ ହିଁ ଜାଣିଛନ୍ତି । କିନ୍ତୁ ଏ ସମ୍ପର୍କରେ ଜଷ୍ଟିସ୍ ବର୍ମାଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ହେଲେ କହିପାରି ନ ଥିଲେ । ଯାହାକୁ ନେଇ ଏବେ ତାଙ୍କ ନାଁରେ ମହାଭିଯୋଗ ଆସିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଗଠନ କରାଯାଇଥିବା ତଦନ୍ତ କମିଟି ଦେଇଥିବା ରିପୋର୍ଟରେ କୁହାଯାଇଛି ଯେ, ମାର୍ଚ୍ଚ ୧୪-୧୫ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଛି । ଆଉ ଏହି ଦିନ ତୁଗଲକ ନଗର ସ୍ଥିତ ବର୍ମାଙ୍କ ବାସଭବନରେ ତାଙ୍କ ଝିଅ ସମେତ ମୋଟ ୧୭ ଜଣ ସଦସ୍ୟ ସେଠାରେ ଉପସ୍ଥିତ ଥିଲେ । ସେହିପରି ଷ୍ଟୋର୍ ରୁମ୍ରେ ଘଟିଥିବା ଅଗ୍ନିକାଣ୍ଡର ପ୍ରକୃତ ଘଟଣା ସର୍ଟସର୍କିଟ୍ ହୋଇଥିଲେ ମଧ୍ୟ ସ୍ୱିଚ୍ ବୋର୍ଡ ପାଖରେ ଏକ ମଦ ରଖିବା ସ୍ଥାନ ଏବଂ ସେଠାରେ ମଦ ଥିବାରୁ ଅଗ୍ନିକାଣ୍ଡ ବ୍ୟାପକ ହୋଇଥିଲା । ଫଳରେ ସେଠାରେ ଥିବା ଟଙ୍କା ଗଦାରେ ନିଅାଁ ଲାଗିଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ନିଅାଁ ଲିଭାଇବାକୁ ଆସିଥିବା ବେଳେ ସେମାନେ ଏ ଘଟଣାର ଭୁକ୍ତଭୋଗୀ ବୋଲି ରିପୋର୍ଟରେ ସ୍ପଷ୍ଟ କରିଛନ୍ତି । ଅପରପକ୍ଷେ ପକ୍ଷେ ଜଷ୍ଟିସ୍ ବର୍ମାଙ୍କ ବ୍ୟକ୍ତିଗତ ସଚିବ ରାଜେନ୍ଦ୍ର ସିଂ କାର୍କୀ ଘଟଣାଦିନ ବାରମ୍ବାର ଜଷ୍ଟିସ୍ ବର୍ମାଙ୍କ ସହ ଫୋନ୍ରେ ଯୋଗସୂତ୍ରରେ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି । ଏହିସବୁ ଘଟଣାବଳୀକୁ ଅନୁଧ୍ୟାନ କଲେ ଜଷ୍ଟିସ୍ ବର୍ମାଙ୍କ ନାଁରେ ମହାଭିଯୋଗ ଆସିବା ନିଶ୍ଚିତ ବୋଲି କୁହାଯାଇଛି ।