ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
କଟକ : ଝାଡ଼ଖଣ୍ଡ ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ହେବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟରୁ ଜଷ୍ଟିସ ଷଡ଼ଙ୍ଗୀଙ୍କୁ ନୂତନ ନିଯୁକ୍ତି ମିଳିବା ସହ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୨୩ ଡିସେମ୍ବର ୨୭ରୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ଷଡ଼ଙ୍ଗୀଙ୍କ ନାମ ସୁପାରିସ କରାଯାଇଥିଲା। ୬ମାସ ବ୍ୟବଧାନରେ ଏହାକୁ ଅନୁମୋଦନ ପୂର୍ବକ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ଷଡଙ୍ଗୀ ଓଡିଶା ହାଇକୋର୍ଟ ବରିଷ୍ଠ ବିଚାରପତି ଥିବା ବେଳେ ଆସନ୍ତା ଜୁଲାଇ ୨୦ରେ ଅବସର ମଧ୍ୟ ଗ୍ରହଣ କରିବେ। ଅବସର ନେବାକୁ ଆଉ ମାତ୍ର ୧୭ଦିନ ଥିବା ବେଳେ ସେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି।
ପ୍ରକାଶଥାଉକି ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଂଜୟ କୁମାର ମିଶ୍ର ଅବସରଗ୍ରହଣ କରିବା ପରେ ଗତ ୨୦୨୩ ଡିସେମ୍ବର ୨୮ରୁ ପଦ ଖାଲି ପଡିଥିଲା। ଝାଡଖଣ୍ଡ ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖର ଦାୟିତ୍ୱ ନିର୍ବାହ କରିଆସୁଥିଲେ। ତାଙ୍କୁ ସେଠାରୁ ରାଜସ୍ଥାନ ହାଇକୋର୍ଟ ବିଚାରପତି ଭାବେ ବଦଳି କରାଯାଇଛି।