ସ୍ୱାତୀ ମାଲିୱାଲ କାଣ୍ଡ ପାଇଁ ବରିଷ୍ଠ ନେତାଙ୍କ ସହ ବିଜେପି ଅଫିସ ଯିବେ କେଜ୍ରିୱାଲ

ସ୍ୱାତୀ ମାଲିୱାଲ କାଣ୍ଡ ପାଇଁ  ବରିଷ୍ଠ ନେତାଙ୍କ ସହ ବିଜେପି ଅଫିସ ଯିବେ କେଜ୍ରିୱାଲ

ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଆଜି ପୁଲିସ୍‌ ବୈଭବ କୁମାରଙ୍କୁ ଗିରଫ କରିଛି।

ବୈଭବ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପିଏ। ଗିରଫଦାରୀ ପରେ ଆପ୍‌ ସାଂଘାତିକ ଅଭିଯୋଗ ଆଣିଛି। ବିଜେପି ସ୍ୱାତୀଙ୍କୁ ବ୍ଲାକମେଲ କରି ଏସବୁ କାଣ୍ଡ ଘଟାଉଛି ଓ ଆପ୍‌କୁ ନିର୍ବାଚନ ବେଳେ ବଦନାମ କରିବାକୁ ଚାହୁଁଥିବା ଦଳ ପକ୍ଷରୁ ଦାବି କରାଯାଇଛି।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ପ୍ରଥମଥର ପାଇଁ ସ୍ୱାତୀ ମାଲିୱାଲ କାଣ୍ଡରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ସେ ସିଧାସଳଖ ଏସବୁ ଘଟଣା ପଛରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

ଏଥିସହ ଆସନ୍ତାକାଲି ଦିନ ୧୨ଟା ବେଳେ କେଜ୍ରିୱାଲର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ବରିଷ୍ଠ ନେତାଙ୍କୁ ଧରି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚିବେ ବୋଲି କହିଛନ୍ତି।

ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଯେଉଁ ସବୁ ଆପ୍‌ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଜେଲ ପଠାଇ ଦିଅନ୍ତୁ ବୋଲି କେଜ୍ରିୱାଲ ବେଶ ଭାବପ୍ରବଣ ହୋଇ ଆଜି କହିଛନ୍ତି।