ଦଳୀୟ ଅଙ୍କ ବିଗାଡ଼ିବ କି ୧୦ ପଞ୍ଚାୟତ
ବରୀ-ବ୍ରହ୍ମବରଦା : ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତିରେ ତତଲା ପବନ ବହୁଥିବା ବେଳେ ଏଥିରୁ ବାଦ ପଡିନାହିଁ ଯାଜପୁର ସଂସଦୀୟ କ୍ଷେତ୍ରର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ବରୀ । ଚଳିତ ନିର୍ବାଚନ ରଣାଙ୍ଗନରେ ୮ଜଣ ବିଜେଡି, ବିଜେପି, କଂଗ୍ରେସ, ବିଏସପି, ଏଆରପିଓ ଓ ସ୍ୱାଧୀନ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଯାଞ୍ଚ, ପ୍ରତ୍ୟାହାର ପରେ ରହିଥିବା ୮ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଏଥର ଅସଲ ଲଢେଇ ଆରମ୍ଭ ହେବ । ବରୀରେ ସବୁ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନ ରୋଚକ ମୋଡ଼ ନେବ ।
ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ନିଶ୍ଚିତ ବୋଲି ଆଭାସ ମିଳିଲାଣି । ସାଧାରଣ ନିର୍ବାଚନ ଆଉ କେଇଟା ଦିନ ଥିବା ବେଳେ ଏବେ ଗାଁ ଗହଳିରେ ପ୍ରାର୍ଥୀ ମାନଙ୍କର ପ୍ରଚାର ତିବ୍ରତର ହେବାରେ ଲାଗିଛି । ଆଉ ମାତ୍ର କିଛି ଦିନ ପରେ ସାଧାରଣ ଜନତା ସେମାନଙ୍କର ନେତା ମାନଙ୍କୁ ବାଛିବେ, ଏଥି ଲାଗି ବରୀ ନିର୍ବାଚନମଣ୍ଡଳୀର ରାଜନୀତି ବିଭିନ୍ନ ଛକ ବଜାର ହାଟ, ଚା ଖଟିରେ ଲୋକ ମାନେ ଭୋଟ ସମ୍ପର୍କରେ ଆଲୋଚନା କରି ପରିବେଶକୁ୍ ସରଗରମ କରୁଛନ୍ତି । ବରୀ ନିର୍ବାଚନ ମଣ୍ଡଳୀଟି ବରୀ ବ୍ଲକ ୨୯ ରାସଲପୁର ବ୍ଲକ ୧୦ ଯାଜପୁର ବ୍ଲକ ୮ପଞ୍ଚାୟତକୁ ନେଇ ମୋଟ ୪୭ ପଞ୍ଚାୟତ ରହିଛି । ନିର୍ବାଚନ ମଇଦାନରେ ଅଶୋକ କୁମାର ବେହେରା (ବହୁଜନ ସମାଜ ପାର୍ଟି), ଉମେଶ ଚନ୍ଦ୍ର ଜେନା (ଭାରତୀୟ ଜନତା ପାର୍ଟି), ଦେବାଶିଷ ନାୟକ (କଂଗ୍ରେସ), ବିଶ୍ୱ ରଂଜନ ମଲ୍ଲିକ (ବିଜୁ ଜନତା ଦଳ), ଅଜୟ ଧଳ (ଜନତା ଦରବାର ପାର୍ଟି), ବେନାଜିର ଖାତୁନ (ଆମ୍ୱେଦକରାଇଟ୍ ପାର୍ଟି ଅଫ ଇଣ୍ଡିଆ), କବିର ଦାସ (ସ୍ୱାଧୀନ), ନିମାଇଁ ଚରଣ ରାୟ (ସ୍ୱାଧୀନ) ରହିଛନ୍ତି । ବିଭିନ୍ନ ଦଳର ପ୍ରାର୍ଥୀ୫ ବର୍ଷ ଭିତରେ ନିର୍ବାଚନ ମଣ୍ଡଳୀରେ କରିଥିବା ବିକାଶ ମୂଳକ କାର୍ଯ୍ୟ ଓ ଆଗାମୀ ୫ ବର୍ଷରେ କଣ କଣ ବିକାଶ କରିବେ ତାକୁ ନେଇ ଭୋଟର ମାନଙ୍କୁ କହି ସେମାନଙ୍କ ମତାମତ ଓ ମନ ଜିଣିଥିବା ଦେଖିବାକୁ ମିଳୁଛି । ଓଡ଼ିଶା ବିଧାସଭାର ସପ୍ତଦଶ ନିର୍ବାଚନ ଲାଗି ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ୨୨୪ ଟି ବୁଥ ୨ଲକ୍ଷ ୨୪ହଜାର ୩ଶହ ୫୯ ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର ଭାବେ ୧ଲକ୍ଷ ୧୭ହଜାର ୫ଶହ ୨୮ ଜଣ ଓ ମହିଳା ଭୋଟର ୧ଲକ୍ଷ ୬ହଜାର ୮ଶହ ୨୬ଜଣ ଲିଙ୍ଗ ଅନୁପାତ ୯୦୮.୯୪ ଯୁବ ଭୋଟର ୪ହଜାର ୬ଶହ ୩୫ଜଣ ସେମାନଙ୍କର ମତାମତ ସାବ୍ୟସ୍ତ କରିବେ । ପ୍ରାର୍ଥୀ କିପରି ଅଧିକରୁ ଅଧିକ ସଂଖ୍ୟକ ଭୋଟ ହାତେଇବେ ସେ ନେଇ କସରତ ଆରମ୍ଭ କରିବା ସହ ବିଭିନ୍ନ ସଭାସମିତି ଓ ବାଇକ ଶୋଭାଯାତ୍ରା ସହ ଘରଘର ବୁଲି ପ୍ରଚାର ପ୍ରସାର ଚଳାଇ ଭୋଟ ଯୋଗାଡ଼ କରୁଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିରୁ ସୁନନ୍ଦା ଦାସ ଓ ବିଜେପିରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷପୂର୍ଣ୍ଣ ଲଢେଇରେ ହାରଜିତ ଭୋଟର ବ୍ୟବଧାନ ଥିଲା ମାତ୍ର ୪ ହଜାର । ଆଉ ସୁନନ୍ଦା ବିଜୟ ପଛରେ ରସୁଲପୁର ବ୍ଲକର ୧୦ ପଞ୍ଚାୟତ ବିଶେଷ ଭଗିଦାରୀ ରହିଥିଲା । ରସୁଲପୁର ବ୍ଳକର୧୦ପଞ୍ଚାୟତ ମଧ୍ୟରେ ବନ୍ଧଢିଅ, ବ୍ରହ୍ମବରଦା, ମହେଶ୍ୱରପୁର, ମଙ୍ଗରାଜପୁର, ରାଉତରାପୁର, ଅର୍ଥଙ୍ଗା, ଅତଲାପୁର,ସାମନ୍ତରାପୁର, ରାଜେନ୍ଦ୍ରପୁର ଓ ପ୍ରଥମାଖଣ୍ଡି ପଞ୍ଚାୟତ ରହିଛି । ଯେଉଁ ସବୁ ପଞ୍ଚାୟତ କି ବିଜେଡିର ପେଣ୍ଠସ୍ଥଳୀ ଭାବେ ପରିଗଣିତ । ଏହି ୧୦ଗୋଟି ପଞ୍ଚାୟତ ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ସାଜିଥିଲା ଯାହାର ଇତିହାସ ମୁକସାକ୍ଷୀ ରହିଛି ।
୨୦୧୪ରେ ଅନୁଷ୍ଠିତ ନିର୍ବାଚନରେ ବିଜେଡିରୁ ଦେବାଶିଷ ନାୟକ ଓ ସ୍ୱାଧୀନରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଉକ୍ତ ନିର୍ବାଚନରେ ବରୀର ୩୭ ଗୋଟି ପଞ୍ଚାୟତରୁ ଉଭୟ ଦ୍ୱୟଙ୍କୁ ପାଖାପାଖି ସମାନ ସମାନ ସଂଖ୍ୟକ ଭୋଟ ମିଳିଥିବା ବେଳେ ରସୁଲପୁର ବ୍ଲକ ଅଧିନରେ ଥିବା ୧୦ ଗୋଟି ପଞ୍ଚାୟତରୁ ବିଶ୍ୱଙ୍କ ଅପେକ୍ଷା ଦେବାଶିଷଙ୍କ ସପକ୍ଷରେ୧୨ହଜାରରୁ ଊଦ୍ଧ୍ୱର୍ ଅଧିକ ଭୋଟଯାଇଥିଲା । ଫଳରେ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱ ୭ ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ଓ ଦେବାଶିଷ ବିଜୟ ଟିକା ପିନ୍ଧିଥିଲେ । ସମୟ କ୍ରମେ ୨୦୧୪ ନିର୍ବାଚନରେ ପରାଜିତ ପରେ ବିଶ୍ୱ ବିଜେପିରେ ଯୋଗ ଦେଇଥିଲେ । ସମାନଢଙ୍ଗରେ ପରବର୍ତୀ ୨୦୧୯ବିଧାନସଭା ନିର୍ବାଚନରେ ବିଜେଡିରୁ ବିଧାୟକ ଦେବାଶିଷଙ୍କ ଟିକେଟ କଟି ନୂଆ ଚେହେରା ଭାବେ ବରୀ ବ୍ଲକ ଅଧ୍ୟକ୍ଷା ଥିବା ସୁନନ୍ଦାଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଥିଲା । ଉକ୍ତ ନିର୍ବାଚନରେ ସୁନନ୍ଦା ଓ ବିଜେପିରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କ ମଧ୍ୟରେ ବିଗ ଫାଇଟ ଦେଖିବାକୁ ମିଳିଥିଲା । ଠିକ୍ ୨୦୧୪ ନିର୍ବାଚନ ପରି ବରୀ ଓ ଯାଜପୁରର ମୋଟ ୩୭ ଗୋଟି ପଞ୍ଚାୟତରୁ ଉଭୟ.ପ୍ରାର୍ଥୀ ପାଖାପାଖି ସମାନ ସଂଖ୍ୟକ ଭୋଟ ହାତେଇଥିଲେ । ସେ ସମୟରେ ପୂର୍ବ ନିର୍ବାଚନ ଅପେକ୍ଷା ବିଜେଡିର ଭୋଟର ହାର କିଛି ମାତ୍ରାରେ କମିଥିଲେ ସୁଦ୍ଧା ରସୁଲପୁର ବ୍ଲକ ଅଧିନରେ ଥିବା ମୋଟ ୧୦ଗୋଟି ପଞ୍ଚାୟତରୁ ବିଜେଡି ପୁନର୍ବାର ବିଜେପି ଠାରୁ ୮ହଜାର ୬ ସହ ଖଣ୍ଡ ଅଧିକ ଖଣ୍ଡ ଭୋଟ ପାଇ ମାତ୍ର ୪ ହଜାର ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିରୁ ସୁନନ୍ଦା ବିଜୟ ଲାଭ କରିଥିଲେ । କିନ୍ତୁ ଗତ ୫ବର୍ଷ ମଧ୍ୟରେ ରାଜନୀତି ପାଣିପାଗ ପୁରା ବଦଳି ଯାଇଛି । ଚଳିତ୨୦୨୪ ନିର୍ବାଚନର ମାହୋଲ ସମ୍ପୂର୍ଣ୍ଣ ଭିନ୍ନ । ନେତାଙ୍କୁ ଘାରିଛି ଦଳଡିଆଁ ରୋଗ । ଦଳୀୟ କର୍ମୀ ଓ କୁଜି ନେତା ଠାରୁ ଆରମ୍ଭ କରି ହେଭିୱେଟ ନେତା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଛନ୍ତି ଏହି ଦଳଡିଆଁ ପର୍ବରେ । ବିଜେଡିର ଗଡ଼ ବୋଲି କୁହାଯାଉଥିବା ବରୀରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ବିଶେଷ କରି ବରୀ ନିର୍ବାଚନମଣ୍ଡଳୀ ରସୁଲପୁର ବ୍ଲକ ଅଧିନରେ ଥିବା ୧୦ଗୋଟି ପଞ୍ଚାୟତ ମଧ୍ୟରେ ଯେଉଁ ୧୦ ଗୋଟି ପଞ୍ଚାୟତ ଶାସାକ ଦଳ ବିଜେଡିର ବିଜୟରେ ନିର୍ଣ୍ଣାୟକ ସାଜୁଥିଲା ବା ସହାୟକ ହେଇଥିଲା ସେହି୧୦ଗୋଟି ପଞ୍ଚାୟତର ବହୁ ପୂର୍ବତନ ପଞ୍ଚାୟତ ପ୍ରତିନିଧି, ଦଳୀୟ କର୍ମୀ ଓ ବହୁ ଛାମୁଆ ନେତା ଏବେ ବିଜେପି ଶିବିରରେ । ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ବ୍ରହ୍ମବରଦା ପଞ୍ଚାୟତ ପୂର୍ବତନ ସରପଞ୍ଚ ସେକ୍ ଆବୁଲ କାଲାମ, ରସୁଲପୁର ବ୍ଲକ ଯୁବ ବିଜୁ ଜନତା ଦଳ ସଭାପତି ତଥା ଅତଲାପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ ସାମଲ, ବନ୍ଧଢିଅ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଶ୍ୟାମସୁନ୍ଦର ବେହେରା, ସାମନ୍ତରାପୁର ପୂର୍ବତନ ସରପଞ୍ଚ ଅଭିମନୁ୍ୟ ମହାଳିକ,ରାଜେନ୍ଦ୍ର ପୁର ପୂର୍ବତନ ସରପଞ୍ଚ ସୁଶାନ୍ତ ବେହେରା ଓ ସାମନ୍ତରାପୁର ସମବାୟ ସମିତି ସଭାପତି ବିଦ୍ୟାଧର କରଣ ପ୍ରମୂଖ । ତେଣୁ ପୂର୍ବ ଦୁଇଟି ନିର୍ବାଚନ ପରି ଉକ୍ତ ୧୦ ପଞ୍ଚାୟତରୁ ଶାସକ ଦଳ ବିଜେଡି ଯଦି ବିରୋଧୀ ଦଳ ଠାରୁ ନିଜ ସପକ୍ଷରେ ଅଧିକ ଭୋଟ ହାତେଇ ପାରିଲା ତେବେ ସଫଳତା ଟିକା ପିନ୍ଧିବାଟାକୁ କେହି ରୋକି ପାରିବେନି । ଯଦି କିଛି ବ୍ୟତିକ୍ରମ ଘଟେ ତେବେ ବିଜେଡିର ଦଳୀୟ ଅଙ୍କକୁ ବିଗାଡ଼ି ଦେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି । ବିଜେଡ଼ିର ବିଶ୍ୱ ରଞ୍ଜନ, ବିଜେପିର ଉମେଶ, କଂଗ୍ରେସର ଦେବାଶିଷ ନାୟକ ପ୍ରମୁଖ ପୁରୁଣା ମୁହଁ ହୋଇଥିଲେ ମଧ୍ୟ ସମସ୍ତେ ଦଳ ପରିତ୍ୟାଗ କରି ନୁଆ ମୁହଁ ଭାବେ ଉଭା ହୋଇଛନ୍ତି । ୩ଜଣ ପ୍ରାର୍ଥୀଙ୍କ ଗୋଟି ଚାଳନାରେ କାହାର ପହ୍ଲା ଭାରି ହେଉଛି ଓ ବରୀ ଲୋକ କାହାକୁ ବିଜୟ ମୁକୁଟ ପିନ୍ଧାଉଛନ୍ତି ତାହା ଦେଖିବାର ଅଛି ।