କେଜ୍ରିୱାଲଙ୍କ ପତ୍ନୀ ହେବେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ

କେଜ୍ରିୱାଲଙ୍କ ପତ୍ନୀ ହେବେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଦ ଛାଡ଼ିବେ  । ଏନେଇ ସେ ଘୋଷଣା କରିଛନ୍ତି  । ଦୁଇଦିନ ଭିତରେ ସେ ପଦ ଛାଡ଼ିବା ସହ ଦିଲ୍ଳୀର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ  । ତାଙ୍କ ବଦଳରେ ପତ୍ନୀ ସୁନୀତା କେଜ୍ରିୱାଲ୍‌ ମୁଖ୍ୟମନ୍ତ୍ରୀ ହେବେବୋଲି ଜାଣିବାକୁ ମିଳିଛି  । କାହିଁକିନା ଆପରେ ମୁଖ୍ୟମନ୍ତ୍ରୀ ହେବା ଭଳି ଆଉ କୌଣସି ବଡ଼ ନେତା ନାହାନ୍ତି  । ଯେଉଁମାନେ ବି ଅଛନ୍ତି, ସେମାନଙ୍କ ନାମରେ ବିଭିନ୍ନ ମାମଲା ରହିଛି  । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ହୁଅନ୍ତୁ କି ସାଂସଦ ସଞ୍ଜୟ ସିଂହ ହୁଅନ୍ତୁ ସମସ୍ତଙ୍କ ନାମରେ ସଂଗୀନ୍‌ ମାମଲା ରହିଛି  । ଉଭୟ ମଧ୍ୟ ଜେଲରେ ରହି ଫେରିଛନ୍ତି  । ଏଭଳି ସ୍ଥିତିରେ ସୁନୀତା ହିଁ ଶ୍ରେଷ୍ଠ ବିକଳ୍ପ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  । 

ଇଡ଼ି ଓ ସିବିଆଇ ଜାଲରେ ଛନ୍ଦି ହୋଇ ଯାଇଥିବା କେଜ୍ରିୱାଲ୍‌ ଦୀର୍ଘଦିନ ଧରି ଜେଲରେ ରହିଥିଲେ  । ନିକଟରେ ସେ ଜାମିନରେ ଜେଲରୁ ମୁକୁଳିଛନ୍ତି  । ତେବେ ସେ ଅଫିସ ଯାଇପାରିବେନି କିମ୍ବା କୌଣସି ଫାଇଲରେ ଦସ୍ତଖତ କରିପାରିବେନି ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି  । ଅର୍ଥାତ୍‌ ସେ ମୁଖ୍ୟମନ୍ତ୍ରୀ ଭାବେ କୌଣସି ଦାୟିତ୍ୱ ତୁଲାଇପାରିବେ ନାହିଁ  । ଏହାକୁ ଅନୁଶୀଳନ କରିବା ପରେ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି  । ସେ ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି  । ଯାହାକି ଏବେ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି  ।