ନୂଆ ବାଣିଜ୍ୟ ଯୁ୍‌ଦ୍ଧ ଆରମ୍ଭ କରିବାକୁ ଯାଉଛନ୍ତି ଟ୍ରମ୍ପ

ନୂଆ ବାଣିଜ୍ୟ ଯୁ୍‌ଦ୍ଧ ଆରମ୍ଭ କରିବାକୁ ଯାଉଛନ୍ତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ତାଙ୍କର ଟାରିଫ୍‌ ଯୋଜନା ସହିତ ଆଗକୁ ବଢ଼ିବାକୁ ଯାଉଛନ୍ତି। ଟ୍ରମ୍ପ ଅନେକ ଦେଶ ଉପରେ ପ୍ରତିଶୋଧମୂଳକ ଟାରିଫ୍‌ ଲାଗୁ କରିବାର ଯୋଜନା ପ୍ରକାଶ କରିଛନ୍ତି। ପ୍ରକୃତରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଫେବୃଆରୀ ୭)ରେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ସାକ୍ଷାତ କରିଛନ୍ତି। ଏହି ବୈଠକ ସମୟରେ ଟ୍ରମ୍ପ କହିଛନ୍ତି ଯେ ସେ ଆଗାମୀ ସପ୍ତାହରେ ଅନେକ ଦେଶ ଉପରେ ଟାରିଫ୍‌ ଘୋଷଣା କରିବେ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଟାରିଫ୍‌ ଲଗାଇବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ସେ କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଟାରିଫ୍‌ ଲଗାଇବାର ଘୋଷଣା କରିଛନ୍ତି। ତଥାପି, ସେ କାନାଡା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍‌ ନିଷ୍ପତ୍ତିକୁ ଗୋଟିଏ ମାସ ପାଇଁ ସ୍ଥଗିତ ରଖିଛନ୍ତି। କିନ୍ତୁ ଟ୍ରମ୍ପଙ୍କ ଦ୍ୱାରା ଆଉ କିଛି ଦେଶ ଉପରେ ଟାରିଫ୍‌ ଲାଗୁ କରିବାର ନିଷ୍ପତ୍ତି ପରେ, ଏକ ନୂତନ ବାଣିଜ୍ୟ ଯୁଦ୍ଧ ଦେଖାଯାଇପାରେ।

ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଚାହୁଁଛନ୍ତି ଯେ ଆମେରିକା ବିଶ୍ୱର ଅନ୍ୟ ଦେଶ ସହିତ ସମାନ ବାଣିଜ୍ୟ କରୁ। ଟ୍ରମ୍ପ କହିଛନ୍ତି, ମୁଁ ଆସନ୍ତା ସପ୍ତାହରେ ଏହା ଘୋଷଣା କରିବି, ଯାହା ଦାରା ଅନ୍ୟ ଦେଶମାନେ ଆମ ସହିତ ସମାନ ବ୍ୟବହାର କରିବେ। ଆମେ ଅଧିକ ଚାହୁଁନାହୁଁ, କିନ୍ତୁ କମ୍‌ ମଧ୍ୟ ଚାହୁଁନାହୁଁ। ପ୍ରକୃତରେ, ଟ୍ରମ୍ପ ପ୍ରତିଶୋଧମୂଳକ ବାଣିଜ୍ୟ ବିଷୟରେ କହିଛନ୍ତି। ଏହାର ଅର୍ଥ ହେଉଛି ଯଦି କୌଣସି ଦେଶ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଟାରିଫ୍‌ ଲାଗୁ କରେ, ତେବେ ଆମେରିକା ମଧ୍ୟ ସେହି ଦେଶର ସାମଗ୍ରୀ ଉପରେ ସମାନ ଟାରିଫ୍‌ ଲାଗୁ କରିବ।